ସରିଲା ମାଟ୍ରିକ ପରୀକ୍ଷା: ୧୦ଟି କେନ୍ଦ୍ରରେ ଅନୁପସ୍ଥିତ ରହିଲେ ୧୯ ପରୀକ୍ଷାର୍ଥୀ
ଆସିକା (ୱାଇଏନ୍ଏସ୍) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬ ମସିହାର ମାଟ୍ରିକ ପରୀକ୍ଷା ଗତ ୧୯ ତାରିଖ ଠାରୁ ଆସିକା ବ୍ଳକ ଓ ଏନ୍ଏସିର ୧୦ଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇ ଆଜି ଶେଷ ହୋଇଥିବା ଜଣାପଡିଛି । ଆସିକା ଅଞ୍ଚଳରେ ଏହି ମାଟ୍ରିକ ପରୀକ୍ଷା ମୋଟାମୋଟି ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ଲକ୍ଷ୍ୟ କରାଯାଇଛି । ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ ମଧ୍ୟ ପରୀକ୍ଷା ଦେବାକୁ ଆସିକା ବ୍ଳକ ଓ ଏନ୍ଏସିର ୧୦ଟି ପରୀକ୍ଷା କେନ୍ଦ୍ରରେ ୧୯ ପରୀକ୍ଷାର୍ଥୀ ନ ଆସିବା ଘଟଣାକୁ ନେଇ ବୁଦ୍ଧିଜିବୀ ମହଲରେ ନାନା କଥା ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଆସିକା ବ୍ଳକ ଓ ଏନ୍ଏସିର ୧୦ଟି ପରୀକ୍ଷା କେନ୍ଦ୍ରରେ ସମୂଦାୟ ୨୧୭୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିରୀକୃତ ହୋଇଥିଲା ବେଳେ ୧୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଘଟଣା ଶିକ୍ଷାବିଭାଗର ଚିନ୍ତା ବଢାଇ ଦେଇଛି । ଜଣେ କି ଦୁଇ ଜଣ ନୁହେଁ, ସାମୂହିକ ଭାବେ ୧୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ବେଳକୁ କେଉଁ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଆସିଲେ ନାହିଁ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଛାତ୍ର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ହେଉଛି ମାଟ୍ରିକ ପରୀକ୍ଷା । ସବୁପିଲା କିଭଳି ମାଟ୍ରିକ ପରୀକ୍ଷା ଦେଇପାରିବେ ତାହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପମାନ ଗ୍ରହଣ କରୁଥିବା ଜଣାପଡିଛି । ଆସିକା ବ୍ଳକ ଓ ଏନ୍ଏସିର ୧୦ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ୨୧୭୧ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲା ବେଳେ ସେଥିମଧ୍ୟରୁ ୧୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିବା ପରେ ପରୀକ୍ଷା ବେଳକୁ ଅନୁପସ୍ଥିତ ରହିବାର ପ୍ରକୃତ କାରଣ କଣ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଜିରୋ ଡ୍ରପ୍ଆଉଟ୍ କଥା କହୁଥିବା ବେଳେ ୧୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରି ପରୀକ୍ଷା ନଦେବା ପ୍ରଶାସନିକ ବ୍ୟବସ୍ଥାକୁ ଉପହାସ କରୁଛି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ôରକାଶ ପାଉଛି । କାହିଁକି ଓ କେଉଁ ପରିସ୍ଥିତିରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିବା ସତ୍ତ୍ୱେ ୧୯ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ ମାଡିଲେନି ତାହାର ତର୍ଜମା ଓ ବିଚାର ବିମର୍ଶ କରିବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଅଭିମୁଖେ ଆସିବା ପାଇଁ ଆକୃଷ୍ଠ କରିବା ସକାଶେ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି । ତଥାପି ଆସିକା ବ୍ଳକ ଓ ଏନ୍ଏସିର ୧୦ଟି ପରୀକ୍ଷା କେନ୍ଦ୍ରରେ ୧୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ବୁଦ୍ଧିଜିବୀ ମହଲକୁ ଆଚମ୍ବିତ କରିପକାଇଛି । ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ପରୀକ୍ଷାର୍ଥୀମାନେ ବାସ୍ତବରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ ନା ସ୍କୁଲରେ ବିଦ୍ୟାର୍ଥୀଙ୍କ ଉପସ୍ଥାପନ ସଂଖ୍ୟା ଅଧିକ ଦର୍ଶାଇବାକୁ ଯାଇ ସେମାନଙ୍କ ପାଇଁ ଫର୍ମ ପୂରଣ କରାଯାଇଥିଲା ନା ଅନ୍ୟ କୌଣସି କାରଣବଶତଃ ୧୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଲେ ତାହାର ନିରପେକ୍ଷ ଯାଞ୍ଚ କରିବା ସାଂପ୍ରତିକ ପରିସ୍ଥିତିରେ ଜରୁରୀ ହୋଇପଡିଛି । ଅପର ପକ୍ଷରେ ଅଳ୍ପ କେତେକ ପରୀକ୍ଷାର୍ଥୀ ସ୍ୱାସ୍ଥ୍ୟଗତ ଓ ବ୍ୟକ୍ତିଗତ କାରଣରୁ ପରୀକ୍ଷା ଦେଇପାରି ନଥିବା ବେଳେ ଅଧିକାଂଶ ପରୀକ୍ଷାର୍ଥୀ କାମଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ଚାଲିଯାଇଥିବା ଶୁଣିବାକୁ ମିଳୁଛି । ୨୦୨୬ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ଭରିଥିଲେ ହେଲେ ପରୀକ୍ଷା ବେଳକୁ ୧୯ ଜଣ ପରୀକ୍ଷାର୍ଥୀଙ୍କ ଦର୍ଶନ ମିଳିନଥିଲା । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ କେଉଁ ପରିସ୍ଥିତିରେ ଆସିକା ବ୍ଳକ ଓ ଏନ୍ଏସିର ୧୦ଟି ପରୀକ୍ଷା କେନ୍ଦ୍ରରେ ୧୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଲେ ତାହାର ଏକ ତର୍ଜମା କରିବା ସାଙ୍ଗକୁ ଡ୍ରପ୍ଆଉଟ୍ ହାର ରୋକିବାକୁ ଅଧିକରୁ ଅଧିକ ଯୋଜନା ପ୍ରଣୟନ କରିବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


