ବସ୍ତି ବାସିନ୍ଦାଙ୍କ ସହିତ ରଜ ମହୋତ୍ସବ ପାଳିଲେ ମେୟର
କଟକ, (ଓ୍ବାଇଏନଏସ) : ବିକାଶ ଭବନଠାରେ କଟକ ମହାନଗର ନିଗମ ଦ୍ୱାରା ଆୟୋଜିତ ରଜ ମହୋଉତ୍ସବରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ କଟକ ସହରର ଭିନ୍ନ ଭିନ୍ନ ବସ୍ତିର କୁନି କୁନି ପିଲା ଓ ଛୋଟ ଝିଅ ପିଲାଙ୍କ ସହିତ ଗଣପର୍ବ ରଜ ପାଳନ କରିଥିଲେ। ଏହି ସ୍ଥାନରେ ମାନ୍ୟବର ମେୟର ଶ୍ରୀ ସିଂ କୁନି ପିଲାଙ୍କ ସହିତ ଦୋଳି ଝୁଲିବା ସହିତ ନାନାଦି ପ୍ରକାରର ଓଡ଼ିଆ ପିଠା, ମିଠା ଖାଇଥିଲେ ଓ ରଜ ପାନର ମଜା ମଧ୍ୟ ନେଇଥିଲେ। ସୂଚନା ଅନୁସାରେ ଆମନ୍ତ୍ରିତ ବସ୍ତିର କୁନି କୁନି ପିଲା ଓ ଛୋଟ ଝିଅ ପିଲାଙ୍କୁ ମହାନଗର ନିଗମ ପକ୍ଷରୁ ନୂତନ ପୋଷାକ, ସହିତ ସଜବାଜ ସାମଗ୍ରୀ ପ୍ରଦାନ କରିଯାଇଥିଲା। ଏହା ସମସ୍ତ ପିଲାଙ୍କ ମୁହଁରେ ଖୁସି ପ୍ରଦାନ କରିଥିବା ବେଳେ ଶେଷରେ ମାନ୍ୟବର ମେୟର ଶ୍ରୀ ସିଂହ କୁନି କୁନି ବସ୍ତି ପିଲାଙ୍କୁ ଓଡ଼ିଶାର ଗଣପର୍ବ ରଜ ମହତ୍ୱ ବିଷୟରେ ବୁଝାଇଥିଲେ। ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହଙ୍କ ସହିତ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରାଉତ, ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ପ୍ରଲୟା ବେଉରା, କର୍ପୋରେଟର ଶ୍ରୀମତୀ ବନଲତା ପ୍ରଧାନ, ସୁମିତ୍ରା ବସ୍ତିଆ , ଉପ ଆୟୁକ୍ତ ସ୍ଵାତି ମିଶ୍ର, ବିନୋଦ ପଣ୍ଡା , ଦେବେନ୍ଦ୍ର ପାଣିଗ୍ରାହୀ , ବହୁ ବସ୍ତି ବାସିନ୍ଦା, ସି.ଏମ.ସି କର୍ମଚାରୀ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।