ମତଦାନ କେନ୍ଦ୍ରର ସୁବ୍ୟବସ୍ଥାକରଣ ସମ୍ବନ୍ଧୀୟ ବୈଠକ
ବାଲେଶ୍ଵର (ସରୋଜ ପଣ୍ଡା): ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଵକାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜନୈତିକ ଦଳ ଗୁଡିକ ସହ ଅନୁମୋଦିତ ଓ ପ୍ରସ୍ତାବିତ ମତଦାନ କେନ୍ଦ୍ରର ସୁବ୍ୟବସ୍ଥାକରଣ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଲେଶ୍ଵର ଜିଲ୍ଲାରେ ୮ଗୋଟି ନିର୍ବାଚନ ମଣ୍ଡଳୀରେ ନୂତନ ପ୍ରସ୍ତାବିତ ମତଦାନ କେନ୍ଦ୍ର ୪୮୮ଗୋଟି ଅନୁମୋଦନ ହୋଇ ପୂର୍ବର କେନ୍ଦ୍ର ସଂଖ୍ୟା ୧୯୨୭ ରୁ ବୃଦ୍ଧି ହୋଇ ୨୪୧୫ ହୋଇଛି। ବାଲେଶ୍ଵର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଆଂଶିକ ସ୍ଥାନ,ନାମମାତ୍ର ପରିବର୍ତ୍ତନ,ନୂଆ ବୁଥ ଗଠନ ସହ ମୋଟ ୪୮୮ ଗୋଟି ନୂତନ ମତଦାନ କେନ୍ଦ୍ର ଅନୁମୋଦିତ ହୋଇଥିବା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀଯୁକ୍ତ ସୁଧାକର ନାୟକ ପ୍ରକାଶ କରିଥିଲେ ।ଏହି ବୈଠକରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନିଜ ନିଜର ବୁଥ ସ୍ତରୀୟ ପ୍ରତିନିଧିଙ୍କୁ ନିୟୋଜିତ କରି ଆସନ୍ତା ଭୋଟର ତାଲିକା ସଂଶୋଧନ ସମୟରେ ସହଯୋଗ ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂହ,ନୀଳଗିରି ଉପଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟ,ଜିଲ୍ଲା ନିର୍ବାଚନ ଅଧକାରୀ ଶ୍ରୀମତୀ ରାଇମାତ ଟୁଡୁ ସମେତ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଗଣ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


