ଘରୋଇ ହିଂସାର ସମାଧାନ ପାଇଁ ବୈଠକ

ବାଲେଶ୍ୱର, (ଓ୍ବାଇଏନଏସ):  ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ  ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ, ବାଲେଶ୍ଵର ଠାରେ ବାଲେଶ୍ଵର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲା କୁ ନେଇ ଏକ ସମୁଦାୟ ସ୍ତରୀୟ  ହିତାଧିକାରୀ ଅଂଶୀଦାର ମାନଙ୍କ ସହିତ ପରାମର୍ଶ କେନ୍ଦ୍ରିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜ କିଶୋର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ପରାମର୍ଶ ବୈଠକରେ ଭଦ୍ରକ ଜିଲ୍ଲା ପୋଲିସ ଭାରପ୍ରାପ୍ତ ମହିଳା ଶିଶୁ ଡେସ୍କ ଅଧିକାରୀ ଶ୍ରୀଯୁକ୍ତ  ସୁଶାନ୍ତ ବେହେରା, ମୟୂରଭଞ୍ଜ ଜିଲ୍ଲା ପୋଲିସ ଭାରପ୍ରାପ୍ତ ମହିଳା ଶିଶୁ ଡେସ୍କ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପଟ୍ଟନାୟକ , ଫେଲୋସିପ ଏନଜିଓ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାନ୍ତି, ଆର୍.ଡି.ଏଫ୍ ଏନଜିଓ ର ସମ୍ପାଦକ  ଶ୍ରୀଯୁକ୍ତ ହରିଶ୍ ଚନ୍ଦ୍ର ରାଜ, ବି.ଏ. ଡି. ସି ଏନଜିଓ ର ନିର୍ଦ୍ଦେଶକ  ଶ୍ରୀଯୁକ୍ତ ଗୋପାଳ କୃଷ୍ଣ କର, ଫକୀର ମୋହନ ସ୍ଵଂୟ ଶାସିତ ବିଶ୍ୱ ବିଦ୍ୟାଳୟର ସମାଜ ବିଜ୍ଞାନ ର ସହକାରୀ ପ୍ରଫେସର ଶ୍ରୀମତି ଡକ୍ଟର ସେବତୀ ମଲିକ୍  ଙ୍କ  ସମେତ ବାଲେଶ୍ଵର , ଭଦ୍ରକ ଓ  ମୟୂରଭଞ୍ଜ ଜିଲ୍ଲାର ଆଶା ଦିଦି, ଅଙ୍ଗନବାଡି ଦିଦି, ପ୍ରେରଣା ଦିଦି, ଜିଲ୍ଲା ଓ ବ୍ଲକ ସ୍ତରୀୟ ସ୍ଵଂୟ ସହାୟକ ଗୋଷ୍ଠୀ ର ସଭାପତି ଓ ସମ୍ପାଦିକା, ଜେଣ୍ଡର ସଂଯୋଜିକା,ଜିଲ୍ଲା ହବ୍ ସଂଯୋଜକ, ସରପଞ୍ଚ,  ପରିବାର ପରାମର୍ଶ କେନ୍ଦ୍ର ସଂଯୋଜିକା, ଶକ୍ତି ସଦନ ର ଅଧିକ୍ଷକ, ସମାଜସେବୀ, ଛାତ୍ରୀ, ପୀଡ଼ିତା ପ୍ରମୁଖ ଅଂଶଗ୍ରହଣକାରୀ ମାନେ ସମୁଦାୟ ସ୍ତରରେ ଘରୋଇ ହିଂସାର ସମାଧାନ ପାଇଁ ସେମାନଙ୍କର ମତାମତ ଉପସ୍ଥାପନା କରିଥିଲେ।  ପ୍ରମୁଖ ଅଂଶଗ୍ରହଣକାରୀ ମାନେ ମହିଳା ବିରୋଧୀ ହିଂସା ଦୂର କରିବାରେ ସମୁଦାୟ ସ୍ତରୀୟ ପ୍ରତିନିଧିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ସମୁଦାୟ ଏବଂ ଅନୁଷ୍ଠାନର ପ୍ରତିନିଧିମାନେ ସମାଜର ସାମ୍ପ୍ରତିକ ପରିସ୍ଥିତିରେ ଗବେଷଣାର ଆବଶ୍ୟକତା ଉପରେ ସେମାନଙ୍କର ମତାମତ ପ୍ରକାଶ କରିଥିଲେ। ପରେ ସମସ୍ତ ଅଂଶୀଦାର ମାନେ ଘରୋଇ ହିଂସା ଏବଂ ଯୌତୁକ ନିଷେଧ ଆଇନର ସମାଧାନ ଉପରେ ପ୍ରଶ୍ନୋତ୍ତର ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଘରୋଇ ହିଂସା ଏବଂ ଶୋଷଣ ବିରୁଦ୍ଧରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ଏବଂ ଘରୋଇ ହିଂସାକୁ ସମାଧାନ କରିବାରେ ବିଦ୍ୟମାନ ବ୍ୟବସ୍ଥା ଓ ଅନୁଷ୍ଠାନ କିପରି ସାହାଯ୍ୟ କରୁଛି ସେ ବିଷୟରେ ଅବଗତ କରିଥିଲେ।  ଆତ୍ମ ନିର୍ଭର ଓ ସଚେତନ ହେଲେ ନାରୀ ସୁରକ୍ଷିତ ହେବେ, ନାରୀମାନେ ଯଦି ଶିକ୍ଷିତ, ସ୍ୱାବଲମ୍ବୀ ହୁଅନ୍ତି ତେବେ ସେମାନଙ୍କ ଉପରେ ହିଂସାର ଘଟଣା ହ୍ରାସ ପାଇବ ବୋଲି ମତାମତ ରଖିଥିଲେ। ମହିଳାମାନଙ୍କୁ ଘରୋଇ ହିଂସା ରୁ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଆଇନ ଓ ବ୍ୟବସ୍ଥା ରହିଛି । ଏ ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଯାଇ ପାରିଲେ ନିର୍ଯାତନାର ଶିକାର ହେଉଥିବା ମହିଳାମାନେ ସୁରକ୍ଷିତ ଓ ଏକ ସମ୍ମାନ ଜନକ ଜୀବନ ଯିଇଁ ପାରିବେ ବୋଲି ଗୁରୁତ୍ଵାରୋପ କରା ଯାଇଥିଲା। ମହିଳାମାନଙ୍କ ପ୍ରତି ନିର୍ଯାତନା, କାରଣ ନିରାକରଣ ଓ ସୁରକ୍ଷା ନିମନ୍ତେ ପ୍ରଣୟନ ହୋଇଥିବା ଆଇନ ଅନୁଯାୟୀ  ସହାୟତା ବ୍ୟବସ୍ଥା ଏବଂ ବିସ୍ତୃତ ସୂଚନା ଓ ବିଭିନ୍ନ ଉଦାହରଣ ମାଧ୍ୟମରେ ନିର୍ଯାତନାର ଶିକାର ହେଇଥିବା ମହିଳାମାନଙ୍କ ଅଧିକାର, କର୍ତ୍ତବ୍ୟ ଓ ସହଯୋଗ ସମ୍ପର୍କରେ ଆଲୋକପାତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଂଶୀଦାର ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି କୁ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ, ଓଡିଶା ର ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ସୁଧାଂଶୁ ଭୂଷଣ ମହାରଣା ଏବଂ ଶ୍ରୀଯୁକ୍ତ ରାଜ କିଶୋର ପଣ୍ଡାଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା। ଶେଷରେ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ସୁଧାଂଶୁ ଭୂଷଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ