ମହାନଦୀ ସହ ବାହୁଦାକୁ ସଂଯୋଗୀକରଣ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ର ଆବାହକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଦିଗପହଣ୍ଡି ନିକଟ ଗୁମ୍ମା ଗ୍ରାମର ଡ଼. ବାଳକୃଷ୍ଣ ପଣ୍ଡା ଶୁକ୍ରବାର ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପାଟି ଙ୍କୁ ସାକ୍ଷାତ କରି ଦକ୍ଷିଣ ଓଡ଼ିଶାର ଜଳସେଚନ ଓ ଶିଳ୍ପ ବିକାଶ ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମହାନଦୀ-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ଯୋଜନା କୁ ବାହୁଦା ନଦୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରି ଜାତୀୟ ଜଳପଥ-୫ କୁ ଏହା ସହ ଯୋଡ଼ିବା ପାଇଁ ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ମହାନଦୀର ବନ୍ୟା ଜଳକୁ ବିନିଯୋଗ କରିବା ପାଇଁ ସାତକୋଶିଆ ନିକଟସ୍ଥ ବଡ଼ମୂଳଠାରେ ଏକ ବନ୍ଧ ନିର୍ମାଣ କରାଯାଇ ଦକ୍ଷିଣ ଓଡ଼ିଶାକୁ ଜଳ ଯୋଗାଣ କରିବା।ଏହି ୩୧୭ କି. ମି ପରିବ୍ୟାପ୍ତ କେନାଲ ଦ୍ୱାରା ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲା ର ପ୍ରାୟ ୨.୭ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହ ବ୍ରହ୍ମପୁର ସହରର ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ। ଏହି କେନାଲ ଟି ନୌଚଳାଚଳ ଯୋଗ୍ୟ ହେବା ସହ ଜାତୀୟ ଜଳପଥ-୫ ସହ ସଂଯୁକ୍ତ ହେଲେ ତାଳଚେର କୋଇଲା ଖଣି ଓ ପାରାଦୀପ ବନ୍ଦର ସହ ଗୋପାଳପୁର ଓ ବାହୁଦା ମୁହାଣ ରେ ପ୍ରସ୍ତାବିତ ବନ୍ଦର ସହଜରେ ଯୋଡ଼ି ହୋଇପାରିବ। ଏହା ଦ୍ୱାରା ରାଜ୍ୟର ଇକୋନୋମିକ କରିଡର ରେ ଥିବା ଶିଳ୍ପ ଗୁଡ଼ିକୁ ଆବଶ୍ୟକ ପରିମାଣର ଜଳ ଯୋଗାଇ ଦିଆଯାଇପାରିବ। ଏହି ପ୍ରକଳ୍ପ ଦ୍ୱାରା ୪୨୨ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବା ସହ କେନାଲ ମଧ୍ୟରେ ‘କେଜ୍ ଫିସିଂ’ ମାଧ୍ୟମରେ ମତ୍ସ୍ୟ ଚାଷ କରି ପ୍ରକଳ୍ପ ଦ୍ଵାରା ଜମି ହରାଇଥିବା ଚାଷୀମାନଙ୍କୁ ରୋଜଗାରକ୍ଷମ କରାଯାଇପାରିବ।ବିକଶିତ ଭାରତ ଓ ଉତ୍କର୍ଷ ଓଡ଼ିଶା-୨୦୩୬ ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ବହୁମୁଖୀ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସ୍ମାରକପତ୍ର ରେ ଦର୍ଶାଯାଇଛି।ସ୍ମାରକପତ୍ର ପ୍ରଦାନ ସମୟରେ କେନ୍ଦ୍ର ଶ୍ରମ ନିୟୋଜନ ଶିକ୍ଷା ବୋର୍ଡ ର ପ୍ରାକ୍ତନ ଅଧ୍ୟକ୍ଷ କେ. ଲକ୍ଷ୍ମଣ ରେଡ୍ଡୀ ଉପସ୍ଥିତ ଥିଲେ।


