ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା: ପରିଚାଳନା ପରିଷଦ ସଭାପତିଙ୍କ ନିକଟରେ ଅଭିଯୋଗ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଜଣେ ମହିଳା ପ୍ରଫେସରଙ୍କୁ ଅନ୍ୟ ଜଣେ କନିଷ୍ଠ ଅଧ୍ୟାପକ ଅସାମ୍ବିଧାନିକ ଶଦ୍ଦ ବ୍ୟବହାର କରିବା ସହ ମାନସିକ ନିର୍ଯ୍ୟାତନା ଦେଇଥିବା ସଂପୃକ୍ତ ମହିଳା ପ୍ରଫେସର ଜଣକ ମହାବିଦ୍ୟାଳୟର ପରିଚାଳନା ପରିଷଦ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରଫେସର ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମହାବିଦ୍ୟାଳୟର ଜଣେ କନିଷ୍ଠ ଅଧ୍ୟାପକ ଅଚ୍ୟୁତାନନ୍ଦ ମହାରଣା ତାଙ୍କୁ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମ୍ମୁଖରେ ଅସୌଜନ୍ୟ ବ୍ୟବହାର କରିଛନ୍ତି। ଯାହା ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛି। ଏ ନେଇ ସେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ତତକ୍ଷଣାତ ଲିଖିତ ଭାବରେ ଜଣାଇଥିଲେ। ହେଲେ ଏଥିରେ ସଂପୃକ୍ତ କନିଷ୍ଠ ଅଧ୍ୟାପକ ଜଣଙ୍କ ଅତ୍ୟଧିକ କ୍ରୋଧିତ ଓ ଉତକ୍ଷିପ୍ତ ହୋଇ କଲେଜ ଅଧ୍ୟକ୍ଷକଙ୍କ ଚାମ୍ବରରେ ତାଙ୍କୁ ଅଧିକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାଦ୍ୱାରା ସେ ମାନସିକ ଭାବେ ନିର୍ଯ୍ୟାତିତ ହୋଇଛନ୍ତି। ଏପରିକି +୨ ପରୀକ୍ଷାକୁ ବନ୍ଦ କରିଦେବେ ବୋଲି ମଧ୍ୟ ସେହି କନିଷ୍ଠ ଅଧ୍ୟାପକ ଜଣଙ୍କ ଅଭଦ୍ରୋଚିତ ଭାଷାରେ ଧମକ ଦେଇଥିଲେ। ସଂପୃକ୍ତ ପିଡିତା ପ୍ରଫେସର ଜଣକ +୨ ପରୀକ୍ଷାର ଡେପୁଟୀ ସୁପରିନ୍ଟେଣ୍ଡେଣ୍ଟ୍ଣ୍ଟ ଦାୟିତ୍ୱରେ ଥିଲେ। ଏ ସଂକ୍ରାନ୍ତରେ ମହିଳା ପ୍ରଫେସର ଜଣକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶ।।ନ୍ତନୁ କୁମାର ଜେନାଙ୍କୁ ଜଣାଇଥିଲେ। କିନ୍ତୁ ସେ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିବାରୁ ମହିଳା ପ୍ରଫେସର ଜଣକ ବାଧ୍ୟହୋଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଓ ପରିଚାଳନା ପରିଷଦ ସଭାପତିଙ୍କୁ ଜଣାଇଥିଲେ। ଏଥିସହ ମହିଳା ପ୍ରଫେସର ଜଣଙ୍କ ମହାବିଦ୍ୟାଳୟର ଆଭ୍ୟନ୍ତରିଣ କମିଟି ଆବାହକଙ୍କୁ ମଧ୍ୟ ସଂପୃକ୍ତ କନିଷ୍ଠ ଅଧ୍ୟାପକ ଜଣକ ତାଙ୍କୁ ବାରମ୍ବାର ମାନସିକ ନିର୍ଯ୍ୟାତନା ଦେଉଥିବା ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସେ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ପରିଚାଳନା ପରିଷଦ ସଭାପତି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେବି ତାହା ସମ୍ଭବ ହୋଇପାରିନାହିଁ।


