ବିଦ୍ୟୁତ୍ ତାର ଲାଗି ନାବାଳକ ମୃତ
ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ପଡୋଶୀ ଘର ଦ୍ୱାରା ବେଆଇନ ଭାବେ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜୁଲାଇ ୨୦ ତାରିଖ ଦିନ ଜଣେ ନାବାଳକର ମୃତ୍ୟୁ ଘଟିଛି। ନାବାଳକ ଜଣଙ୍କ ତନ୍ମୟ ସାହୁ (୧୨ ) ରୋଡ଼ ସାହିର ପରମାନନ୍ଦ ସାହୁଙ୍କ ବଡ଼ ପୁଅ। ସୂଚନା ମୁତାବକ ଆଜି ରବିବାର ଛୁଟିଦିନ ହୋଇଥିବା ବେଳେ ଦିବା ୨ ଘଣ୍ଟା ସମୟରେ ତନ୍ମୟ ନିଜ ବାରିପଟେ ମକମଲ୍ଲୀ ଫୁଲ ଗଛ ଲଗାଉଥିବା ସମୟରେ ପଡ଼ୋଶୀ ଘର ସୁଶାନ୍ତ କୁମାର ସାହୁଙ୍କ ଦ୍ବାରା ବିଛା ଯାଇଥିବା ବେଆଇନ ବିଦ୍ୟୁତ୍ ତାରରେ ଲାଗି ମୃତ୍ୟୁ ବରଣ କରିଥିଲେ। ପରିବାର ଓ ସାହି ଲୋକ ଜାଣିବା ପରେ ତୁରନ୍ତ ପୋଲସରା ମେଡିକାଲକୁ ତନ୍ମୟଙ୍କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣା ଜାଣିବା ପରେ ସୁଶାନ୍ତ କୁମାର ସାହୁଙ୍କ ଘର ଆଗରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚୀ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସୁଶାନ୍ତ କୁମାର ସାହୁ ଓ ତାଙ୍କ ସ୍ତ୍ରୀ କୁ ଚିରିକିପଡା ଶାସନ ଘରୁ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ବ୍ଯବସ୍ଥା କରାଯିବ ବୋଲି ଥାନାଧିକାରୀ କୌଶିକ ମାଝୀ ପ୍ରକାଶ କରିଥିଲେ।


