ମେସିନରେ ହାତ ପାପୁଲି ପଶିଯାଇ ନାବାଳକ ଗୁରୁତର: ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଭର୍ତ୍ତି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ରେଡ୍ଡୀ ସାହି ରେ ରବିବାର ସନ୍ଧ୍ୟା ପ୍ରାୟ ୭ ଟାରେ ଏକ ଅଘଟଣ ଘଟିଥିଲା।ରେଡ୍ଡୀ ସାହି ରେ ଥିବା ସିଙ୍ଗପୁର ଗ୍ରାମର ମନୁ ସାହୁ ଙ୍କ ମା ‘ ତାରାତାରିଣୀ ମିଠା ଦୋକାନ ରେ ମିଠା ପ୍ରସ୍ତୁତ ନିମନ୍ତେ ମେସିନ ଦ୍ବାରା ଅଟା ମିଶ୍ରଣ ସମୟରେ ଅସାବଧାନତା କାରଣରୁ ସେଠାରେ କାମକରୁଥିବା କାଳିଆ ସାହୁ ଙ୍କ ପୁଅ ତଥା ମିଠା ଦୋକାନୀ ମନୁ ଙ୍କ ଭଣଜା ଷଷ୍ଠ ଶ୍ରେଣୀ ଛାତ୍ର ସାହିଲ ସାହୁ(୧୨) ଙ୍କ ଡାହାଣ ହାତ ପାପୁଲି ମେସିନ ରେ ପଶି ଯାଇଥିଲା। ମିଠା ଦୋକାନୀ ସଙ୍ଗେ ସଙ୍ଗେ ମେସିନ ସୁଇଚ ବନ୍ଦ କରିଥିଲେ।ନିକଟରେ ଥିବା ଜଣେ ମେକାନିକ ଙ୍କୁ ଡାକି ଆଣିଥିଲେ। ମେକାନିକ ଜଣକ ମେସିନ ର ବିଭିନ୍ନ ଯନ୍ତ୍ରାଂଶ ଖୋଲି ହାତ ପାପୁଲି କୁ କାଢ଼ିବାକୁ ଅକ୍ଳାନ୍ତ ପରିଶ୍ରମ କରିବା ପରେ ମଧ୍ୟ ପାପୁଲି ଟି ମେସିନ ଭିତରୁ ବାହାରି ନଥିଲା।ସାହିଲ୍ ବାରମ୍ବାର ଚେତାଶୂନ୍ୟ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ଭିଡ଼ ଜମିଥିଲା।ପରିବାର ଲୋକଙ୍କ କାନ୍ଦ ବୋବାଳି ରେ ପରିବେଶ ଗମ୍ଭୀର ହୋଇପଡ଼ିଥିଲା। ସାହିଲ ଙ୍କୁ ଓଆରଏସ ପାଣି ପିଇବାକୁ ଦିଆଯାଇଥିଲା। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ମେସିନ ସହାୟତା ରେ ମିଠା ମେସିନ ର କିଛି ଯନ୍ତ୍ରାଂଶ କୁ କାଟିବା ପରେ ତାଙ୍କ ହାତ ପାପୁଲି ବାହାରକୁ ବାହାରିଥିଲା। ସାହିଲ ଙ୍କ ୩ ଟି ଆଙ୍ଗୁଠି କଟି ଓହଳି ରହିବା ସହ ପାପୁଲି ରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା।ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ଟିମ୍ ର ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଗୋଟିଏ ଆଙ୍ଗୁଠି କଟି ଯାଇଥିଲା।ଡାକ୍ତର ଙ୍କ ପରାମର୍ଶ କ୍ରମେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି।ପାପୁଲି ରୁ କଟି ଯାଇ ଓହଳି ରହିଥିବା ୨ ଟି ଆଙ୍ଗୁଠି କୁ ସର୍ଜରୀ କରି ଯୋଡିବା ପାଇଁ ଡାକ୍ତର ଟିମ୍ ଉଦ୍ୟମ ଚଳାଇଛନ୍ତି। ପାପୁଲି ଓ ଦୁଇଟି ଆଙ୍ଗୁଠି ର ଏକ୍ସରେ କରାଯିବା ସହ ତାଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଛି।ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିବା କାରଣରୁ ତାହା ଆଉ ଯୋଡିବା ସମ୍ଭବ ନୁହେଁ।ଅନ୍ୟ ଦୁଇଟି ଆଙ୍ଗୁଠି ର ଶିରା ପ୍ରଶିରା କ୍ଷତ ବିକ୍ଷତ ହୋଇଥିବାରୁ ଏକ୍ସ – ରେ ରିପୋର୍ଟ ମିଳିବା ପରେ ତାହାକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ। ଅପରେସନ ସଫଳ ନହେଲେ ଅନ୍ୟ ଦୁଇଟି ଆଙ୍ଗୁଠି ମଧ୍ୟ ସମ୍ପୂର୍ଣ୍ଣ କାଟିବାକୁ ପଡ଼ିବ ବୋଲି ଦାୟିତ୍ୱରେ ଥିବା ସେଠାକାର ଡାକ୍ତର ପ୍ରକାଶ କରିଥିବା ସାହିଲ ଙ୍କ ବାପା କହିଛନ୍ତି। ସେ ବିପଦମୁକ୍ତ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି।


