ନାବାଳିକାକୁ କମେଣ୍ଟ ମାରିବା ଘଟଣା: ଅଭିଯୁକ୍ତକୂ ଏକ ବର୍ଷ ଜେଲ ଦଣ୍ଡାଦେଶ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସୋମବାର କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକାକୁ ସ୍କୁଲ ରାସ୍ତାରେ କମେଣ୍ଟ ମାରି ହଇରାଣ କରୁଥିବା ଆସାମୀକୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ଅଧିକ ଏକ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଟାଉନ ଥାନା ଅନ୍ତର୍ଗତ ବଡହଳ ଗ୍ରାମର କାର୍ତ୍ତିକ ତାମୁଳିଆ ଜଣେ ନାବାଳିକାକୁ ସ୍କୁଲ ଯିବା ବାଟରେ ପ୍ରେମ ନିବେଦନ କରିବା ଏବଂ ନାବାଳିକାକୁ ଧମକ ଦେବା ନିତିଦିନ କରୁଥିଲା । ଏହା ପୀଡିତା ଘରେ କହିବା ପରେ ପୀଡିତାର ବାପା ଓ ମାଆ ଆସାମୀର ଘରେ ଏ ବିଷୟରେ ଜଣାଇଥିଲେ ଓ ଆସାମୀର ଘର ଲୋକ ଆସାମୀକୁ ଏଥିରେ ନିବୃତ୍ତ ରହିବାକୁ କହିଥିଲେ ମଧ୍ୟ ଆସାମୀ ଏହି କାର୍ଯ୍ୟରୁ ନିବୃତ୍ତ ନରହି ପୁନର୍ବାର ନାବାଳିକାକୁ ରାସ୍ତାରେ ହଇରାଣ କରିବାରୁ ନାବାଳିକାର ମାଆ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ କାର୍ତ୍ତିକ ତାମୁଳିଆକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରୁଥିଲେ ।