ବାଇକ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତ ବାଇକ ଚାଳକଙ୍କୁ ବାନ୍ଧିଲା ପୁଲିସ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମ ମିଲ ସାହିର ୬ ବର୍ଷୀୟା ନାବାଳିକା ଚିନାରୀ.ପ୍ରିୟଙ୍କା ପାତ୍ର ବାଇକ (ନଂ. ଓଡ଼ି୦୭ ଏ ଜେଡ – ୨୭୮୪) ଧକ୍କା ରେ ଗୁରୁତର ଆହାତ ହୋଇ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ ୨ ତାରିଖ ରେ ମୃତ୍ୟୁବରଣ କରିଥିଲେ।ଏନେଇ ପ୍ରିୟଙ୍କା ଙ୍କ ବାପା ଚିନାରୀ.ରବୀନ୍ଦ୍ର ପାତ୍ର ଗତ ୧୧ ତାରିଖରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ଏହି ଘଟଣାରେ ଅଭିଯୁକ୍ତ ଥିବା ପାଟପୁର ଥାନା ଡି.ଆମ୍ବଠା ଗ୍ରାମର ସୁଶାନ୍ତ ରାଉତ ଙ୍କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗତ ଏପ୍ରିଲ ୨୮ ତାରିଖ ଅପରାହ୍ନ ପ୍ରାୟ ୪ ଟାରେ ସୁଶାନ୍ତ ଏବଂ ତାଙ୍କ ଭାଇ ବାଇକ ଯୋଗେ ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ରୁ କାମସାରି ଫେରୁଥିଲେ। ପ୍ରିୟଙ୍କା ଦୋକାନ ରୁ ଆଇସକ୍ରିମ କିଣି ରାସ୍ତାପାର ହେଉଥିବା ବେଳେ ସୁଶାନ୍ତ ଙ୍କ ବାଇକ ତାଙ୍କୁ ସମ୍ମୁଖ ଭାଗରୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଅବସ୍ଥା ରେ ସୁଧାର ନଆସିବାରୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରିଥିଲେ।