ନାବାଳିକା ଦୁଷ୍କର୍ମ ଭିଡିଓ ଭାଇରାଲ ଘଟଣା : ୬ମାସ ପରେବି ଅଭିଯୁକ୍ତକୁ ଧରିପାରୁନି ପୋଲିସ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ସହିତ ଦୁଷ୍କର୍ମ ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ଆସାମୀଙ୍କ ବିରୋଧରେ ଆଳି ଥାନାରେ ଗତ ତା୨୯.୦୪.୨୦୨୫ରିଖରେ ଅଭିଯୋଗ ହୋଇଥିଲା। କିନ୍ତୁ ଘଟଣାର ୬ମାସ ପରେବି ସେହି ମାମଲାରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିନଥିବା ଶନିବାର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ସାମାଜିକ କର୍ମୀ ତଥା ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଆସାମୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପୀଡ଼ିତାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ ୧୫ବର୍ଷ ବୟସର ଜୈନିକା ଦଶମ ଶ୍ରେଣୀର ନାବାଳିକାଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ନିମତ୍ତ ନିରଞ୍ଜନ ଏଜୁକେଶନ୍ ୱାର୍ଲ୍ଡ କୋଚିଙ୍ଗ ସେଣ୍ଟରରେ କୋଚିଙ୍ଗ ନେଉଥିଲା। ଏହି ସମୟ ଭିତରେ ନିରଞ୍ଜନ ଏଜୁକେଶନ୍ ୱାର୍ଲ୍ଡ କୋଚିଙ୍ଗ ସେଣ୍ଟର ମାଲିକ ତଥା ଶିକ୍ଷକ ନିରଞ୍ଜନ ସାହୁ ଓରଫ କାଳିଆ ଏହି ନାବାଳିକା ଝିଅ ଉପରେ ମନ୍ଦ ଉଦ୍ଧେଶ୍ୟ ରଖିଥିଲେ। ସେ ତାଙ୍କ ନିଜ ଘରେ କୋଚିଙ୍ଗ ଦେବା ଆଳରେ ଗତ ୨୦/୦୨/୨୦୨୫ ରିଖ ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ଟିୟୁସନ ପାଇଁ ଶିକ୍ଷକଙ୍କ ଘର ନିକଟରେ ପହଞ୍ଚିବା ପରେ ଶିକ୍ଷକ ଶ୍ରୀ ସାହୁ ତାଙ୍କ ଘର କବାଟ ଖୋଲି ନାବାଳିକା ଝିଅକୁ ଘର ଭିତରକୁ ଭିଡି ନେଇ କବାଟ ଭିତର ପଟୁ ବନ୍ଦ କରିଦେଇଥିଲେ। ଏହାପରେ ସଂପୃକ୍ତ ଶିକ୍ଷକ ନାବାଳିକାକୁ ଟଣା ଓଟରା କରି ତା’ର ପିନ୍ଧା ଡ୍ରେସ୍ ଟେକି ଉପର ସମ୍ବେଦନଶୀଳ ସ୍ଥାନ (ପ୍ରାଇଭେଟ୍ ପାର୍ଟ)କୁ ହାତ ମାରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କୌଣସି ପ୍ରକାରର ନାବାଳିକା ସେଠାରୁ ଖସି ଆସିଥିଲା। ନାବାଳିକା ସେଠାରୁ ଖସି ଆସିଥିବା ବେଳେ ଆସାମୀ ନିରଞ୍ଜନ ନାବାଳିକାକୁ ଧମକ ଦେଇ କହିଲା ତୁ ଘରେ କିମ୍ବା ଆଉ କାହାକୁ ଏସମ୍ପର୍କରେ କହିଲେ ଆଗକୁ ଯାହା ଘଟିବ ତୁ ବୁଝିବୁ ଆଉ ତୁ ଦାୟୀ ରହିବୁ। ଦରକାର ପଡ଼ିଲେ ତୋ ଭାଇ , ମାମା ଓ ବାପାକୁ ମୁଁ ଜୀବନରୁ ମାରି ଶେଷ କରିଦେବି ବୋଲି ଶିକ୍ଷକ ନିରଞ୍ଜନ କହିଥିଲା। ତେଣୁ ଏ କଥା ଶୁଣି ନାବାଳିକା ଜଣଙ୍କ ପୁରା ଡରି ଯାଇ ଆଉ ଏସମ୍ପର୍କରେ କାହାକୁ କିଛି କହିଲା ନାହିଁ। ଏହାପରେ ୨୫/୦୪/୨୦୨୫ ରିଖରେ ସେହି ନାବାଳିକାର ଅଶ୍ଳୀଳ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଲା। ଆସାମୀ ନିରଞ୍ଜନ ସେହି ନାବାଳିକା ଉପରେ ରାଗ ରଖି ଏଭଳି ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ଏବଂ ଏହି ଘଟଣାରେ ଦେବ ପ୍ରସାଦ ନନ୍ଦ ଓରଫ ବାପୁଜୀ ସାମିଲ ଥିବା ନେଇ ପୀଡ଼ିତା ର ମା’ ୨୯/୦୪/୨୦୨୫ ରିଖରେ ଆଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଳି ପୋଲିସ ଭାରତୀୟ ନ୍ୟାୟ ସହିଂତାର ୬୫ (୧) ଏବଂ ୩୫୧(୨) ସହିତ ଯୈାନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ଆଇନ ୨୦୧୨ ର ଦଫା ୪ ଓ ଇନ୍ଫରମେଶନ୍ ଟେକ୍ନୋଲୋଜି ଆମେଣ୍ଡମେଣ୍ଟ ଆକ୍ଟ ଆଇନର ଦଫା ୬୭ ଏବଂ ୬୭ (ଏ) ରେ ଏକ ମାମଲା ରୁଜୁ କରିଥିଲେ ସୁଦ୍ଧା ଅଦ୍ୟାବଧି ଆସାମୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଆଳି ଥାନା ପୋଲିସ ନିକଟରେ ବାରମ୍ବାର ଗୁହାରି କରି ନାବାଳିକାର ମା’ ହତାଶ ହେବା ପରେ ଏସ.ପି ଙ୍କ ନିକଟରେ ମଧ୍ୟ ୨୧/ ୦୫/୨୦୨୫ ରିଖରେ ଅଭିଯୋଗ କରିଛନ୍ତି। ଏସବୁ ଅଭିଯୋଗ ପରେବି ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ନାବାଳିକା ଝିଅ ଏବଂ ତାଙ୍କ ଘର ଲୋକ ଲଜ୍ୟାରେ ଭାଙ୍ଗି ପଡ଼ିବା ସହିତ ଗ୍ରାମରେ ମୁଣ୍ଡ ଉଠାଇ ବାଟ ଚାଲି ପାରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଅଶ୍ଳିଳ ଭିଡିଓ ଭାଇରାଲ ଓ ଅଶ୍ଳିଳ ଭିଡିଓ ଦେଖାଇ ଖବର ପ୍ରସାରଣ ଦ୍ୱାରା ସେହି ନାବାଳିକା ଝିଅ ଏବଂ ପରିବାରର ଚରିତ୍ର ସଂହାର କରାଯିବାରୁ ସେମାନଙ୍କର ମାନବିକ ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହୋଇଛି ବୋଲି ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି। ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଅଭିଯୋଗ ହେବାର ଦୀର୍ଘ ଛଅ (୬) ମାସ ପରେବି ଆସାମୀ ନିରଞ୍ଜନ ସାହୁକୁ ଗିରଫ କରାନଯିବା ଆଳି ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅଭିଯୋଗ ପରେ ଶ୍ରୀ ଆଚାର୍ଯ୍ୟଙ୍କୁ ଅନେକ ସାମାଜିକ କର୍ମୀ ଓ ସାମାଜିକ ସଂଗଠନ ସମର୍ଥନ ଜଣାଇ ପୀଡ଼ିତା ପରିବାରଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆଇନଗତ ପ୍ରୟାସ ଜାରି ରଖିବେ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ