ବେଗୁନିଆପଦି ସ୍କୁଲ ପୁନଃ ସ୍ଥାପନ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଧାୟକ ଓ ଗ୍ରାମବାସୀ
ହାଟଡିହି(ବିକାଶ ବିଶ୍ବାଳ) ହାଟଡିହି ବ୍ଲକ ବେଗୁନିଆପଦି ଗ୍ରାମରେ ୧୯୬୨ ମସିହାରୁ ସ୍ଥାପିତ ହୋଇଥିବା ସ୍କୁଲ କୁ ପୁନର୍ବାର ଚାଲୁ କରିବା ପାଇଁ ବିଧାୟକଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଏନେଇ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ଗ୍ରାମବାସୀ ମାନେ ସେମାନଙ୍କ ପିଲାମାନେ ସ୍କୁଲ୍ ପାଇଁ କିପରି ସମସ୍ୟା ଭୋଗୁଛନ୍ତି ତାହା ଜିଲ୍ଲାପାଳଙ୍କୁ ଅବଗତ କରାଇ ଥିଲେ। ଜିଲ୍ଲାପାଳ ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ସୁଚନା ଯୋଗ୍ୟ ଯେ ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତର ବେଗୁନିଆ ପଦି ଗାଁରେ ୭୫ ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ଶିକ୍ଷାର ପ୍ରସାର ପାଇଁ ଗାଁରେ ୧୯୬୨ ମସିହାରୁ ସ୍କୁଲ ଖୋଲାଯାଇ ପ୍ରଥମରୁ ୫ମ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିଲା । ମାତ୍ର ଗତ ୪ବର୍ଷ ତଳେ କମ ଛୁଆ ଦର୍ଶାଇ ସରକାର ସ୍କୁଲଟିକୁ ଉଠାଇ ଦେଲେ । ଫଳରେ ଗାଁର କୁନି କୁନି ଛାତ୍ରଛାତ୍ରୀ ମାନେ ୩ କିଲୋମିଟର ଦୁର ଟୁକୁଣା ସ୍କୁଲକୁ ଯାଇ ନାନା ସମସ୍ୟା ଭୋଗୁଛନ୍ତି । ଏହି ୩କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ଥିବା ବେଳେ ଶହ ଶହ ବାଲି ବୋଝେଇ ଗାଡ଼ି ଯାତାୟତ କରୁଛନ୍ତି। ଅନେକ ସମୟରେ ଦୁର୍ଘଟଣା ଘଟୁଥିବାରୁ ଅଭିଭାବକ ମାନେ ଛୁଆ ମାନଙ୍କୁ ବାଧ୍ୟ ହୋଇ ନେବା ଆଣିବା କରୁଛନ୍ତି। ଯାହାକୁ ନେଇ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ ଗାଁ ବିଦ୍ୟାଳୟର ଶ୍ରେଣୀ ଗୃହ ଅକ୍ଷତ ଅବସ୍ଥାରେ ଅଛି, ପାଚେରୀ ଅଛି, ନଳକୂପ ଅଛି, ଶୌଚାଳୟ ବି ଅଛି । ଏବେ ଗାଁର ୩୦ ରୁ ଉର୍ଦ୍ଧ୍ଵ ଛାତ୍ରୀ ବାହାର ଗାଁକୁ ଯାଇ ଶିକ୍ଷାଲାଭ କରିବାରେ ସମସ୍ୟା ଉପୁଜୁଛି । କେବଳ ଶିକ୍ଷକ ନିଯୁକ୍ତି ଦେଇ ସ୍କୁଲକୁ ପୁନର୍ବାର କାର୍ଯ୍ୟକ୍ଷମ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।


