କୃଷି ଯନ୍ତ୍ରପାତି ମେଳାରେ ଚାଷୀଙ୍କୁ ଅଣଦେଖାକୁ ନେଇ କ୍ଷୋଭ ପ୍ରକାଶ କଲେ ବିଧାୟକ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଠାରେ ଚାଲିଥିବା ୩ ଦିନିଆ କୃଷି ଯନ୍ତ୍ରପାତି ମେଳାରେ ଚାଷୀ ମାନଙ୍କୁ ଅଣଦେଖାକୁ ନେଇ କ୍ଷୋଭ ପ୍ରକାଶ କଲେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ତିନୋଟି ବ୍ଲକର ଚାଷୀ ମାନଙ୍କୁ ନେଇ ଏପରି ଏକ କୃଷି ଯନ୍ତ୍ରପାତି ମେଳାର ଆବଶ୍ୟକତା ଜରୁରୀ ଥିବାବେଳେ ଏ ସମ୍ପର୍କରେ ଚାଷୀ ମାନଙ୍କୁ ସୂଚନା ଦିଆ ଯାଇନାହିଁ। ଏପରିକି ଆଜିର ଏହି ମେଳାରେ କେବଳ କୃଷି ଅଧିକାରୀ, କର୍ମଚାରୀ, କୃଷକ ସାଥି ମାନେ ଉପସ୍ଥିତ ଥିବାବେଳେ କେବଳ କିଛି ସମ୍ବର୍ଦ୍ଧିତ ଓ ପୁରସ୍କୃତ ଚାଷୀ ଉପସ୍ଥିତ ଥିଲେ। ବିଭାଗୀୟ ଅଧିକାରୀ ମାନେ ମେଳା ପ୍ରତି ଥିବା ସେମାନଙ୍କର ଦାୟିତ୍ୱ ସୁଚାରୁ ରୂପେ ସମ୍ପର୍ଣ୍ଣ କରୁ ନଥିବା ବିଧାୟକ ଦ୍ବୟ ଅଭିଯୋଗ କରିଛନ୍ତି। ଏହି ମେଳା ଏକ ପ୍ରକାର ପ୍ରହସନ ବୋଲି କହିଛନ୍ତି। ସେହିପରି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ପନିପରିବା ଚାଷୀଙ୍କ ସୁବିଧା ପାଇଁ ଆନନ୍ଦପୁରରେ ଏକ ଶୀତଳ ଭଣ୍ଡାର ସହ ହାଟଡିହି ବ୍ଲକର ଶାଳଣିଆଁ ଅଞ୍ଚଳରେ ଅଧିକ ଧାନ ଚାଷ କରାଯାଉ ଥିବାରୁ ଏ ଅଞ୍ଚଳରେ ଏକ ଧାନ ମିଲ ଖୋଲିବାକୁ ଦାବି କରିଛନ୍ତି।


