ଜକର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଜକର ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ନବନିର୍ମିତ ବିଭିନ୍ନ ପ୍ରକଳ୍ପ କୁ ବୁଧବାର ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ଉଦଘାଟନ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନଙ୍କ ସଂଯୋଜନାରେ ଜକର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ୫ ଲକ୍ଷ ଟଙ୍କା ବ୍ୟୟରେ ମରାମତି ଓ ସୋନ୍ଦର୍ଯ୍ୟକରଣ କରାଯାଇଥିବା ଅତିରିକ୍ତ କାର୍ଯ୍ୟାଳୟ କୋଠା ଓ ୧୦ ଲକ୍ଷ ଟଙ୍କା ବ୍ୟୟରେ ମୋ ବ୍ୟାଙ୍କ ସେବାକେନ୍ଦ୍ରର ନୂତନ ଶାଖା କୋଠା କୁ ଉଦଘାଟନ କରିଥିଲେ। ପରେ ୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ସେ ଶିଳାନ୍ୟାସ କରିବା ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ପଞ୍ଚାୟତ ସ୍ତରୀୟ ପଟ୍ଟା ବଣ୍ଟନ ମେଳାରେ ଯୋଗ ଦେଇଥିଲେ । ଜକର ପଞ୍ଚାୟତ ୫ ଟି ଗ୍ରାମର ୨୮୯ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପରମ୍ୱୋକ ଓ ଦ୍ଵିତୀୟ ଖାନା ସଂଶୋଧିତ ପଟ୍ଟା ବଣ୍ଟନ କରିବା ସହ ୩ ଜଣ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ବଣ୍ଟନ କରିଥିଲେ । ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ,ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶାନ୍ତନୁ ମହାଙ୍କୁଡ , ଏଡିଓ ଗିତାଞ୍ଜଳୀ ପଣ୍ଡା, ରାଜସ୍ବ ନିରୀକ୍ଷିକା ସଞ୍ଜୁକ୍ତା ମହାପାତ୍ର ,ବ୍ଲକ ସରପଞ୍ଚ ସଂଘ ସଭାପତି ତଥା କରପଡ଼ା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ,ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ୍. ସନ୍ତୋଷ କୁମାର,ବାପି ପ୍ରଧାନ , ରଘୁନାଥ ଗୈାଡ ,ମିଟୁ ଦୋରା ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ସେହିପରି ପଞ୍ଚାୟତ ଅଧିନ ମାଣିକ୍ଯପୁର ଗ୍ରାମରେ ୧୦ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଥିବା ଶ୍ରୀ ଗୋପୀନାଥ କଲ୍ୟାଣ ମଣ୍ଡପ ନିମନ୍ତେ ବିଧାୟକ ଶିଳାନ୍ୟାସ କରିବା ସହ ତେଣ୍ଟୁଆପଡ଼ା ଗ୍ରାମ ବିଦ୍ୟାଳୟରେ ପହଞ୍ଚି ୪ ଲକ୍ଷ ବ୍ୟୟ ରେ ନବନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରି ଫେରିଥିବା ଜଣାପଡ଼ିଛି ।


