ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ସଦର ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରୁପସା ସାମିଲ ହସନପୁର ପଂଚାୟତର ଜନସାଧାରଣଙ୍କ ପାଇଁ ବିକାଶର ନୂତନ ପଥ ପ୍ରଦର୍ଶନ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ। ଏହି ପରିପ୍ରେକ୍ଷୀରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ନୂତନ ପଂଚୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଏବଂ ୪ର୍ଥ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ପଂଚାୟତ ଅଧିକାରୀଙ୍କ କ୍ୱାଟର୍ସ ନିର୍ମାଣ ସହିତ ସଂଖ୍ୟାଧିକ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବିଧାୟକ ଶ୍ରୀ ଦତ୍ତ । ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ବାଲେଶ୍ୱର ସଦର ପଂଚାୟତ ସମିତି ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ୮ଲକ୍ଷ ଟଙ୍କା, ମହିଳା ଓ ଶିଶୁ ବିକାଶ ଯୋଜନାରେ ୨ଲକ୍ଷ ଟଙ୍କା ଓ ୫ମ ଅର୍ଥ କମିସନ ପଂଚାୟତ ଡିଭୋଲ୍ୟୁସନ ଫଣ୍ଡର ୨ଲକ୍ଷ ଟଙ୍କା ଅନୁଦାନରେ ରୁପସା ସାମିଲ ହସନପୁର -୧ ଅଙ୍ଗନବାଡି କେନ୍ଦ୍ର, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଚକ୍ରଧର ସାହୁ ଘର ଠାରୁ ରବୀନ୍ଦ୍ର ସାହୁଙ୍କ ଘର ପର୍ଯ୍ୟନ୍ତ ପକ୍କା ରାସ୍ତା, ଦାନା ଯୋଜନା ଅନ୍ତର୍ଗତ ୧ଲକ୍ଷ ୨୬ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ଗଗନ ଗିରି ଠାରୁ ବାବୁଲି ନାୟକ ଛକ ପର୍ଯ୍ୟନ୍ତ ପକ୍କା ରାସ୍ତା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ୱାର୍ଡ ନଂ ୧୫ର ରାଜା ଘର ଠାରୁ ଛଚିନା ଛକ ପର୍ଯ୍ୟନ୍ତ ଗାର୍ଡ ୱାଲ ନିର୍ମାଣ ପ୍ରଭୃତି ପ୍ରକଳ୍ପ ପାଇଁ ବିଧାୟକ ଶ୍ରୀ ଦତ୍ତ ଶୁଭ ଦେଇଥିଲେ । ରାଜ୍ୟର ଲୋକପ୍ରିୟ ତଥା ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ସର୍ବଦା ପ୍ରୟାସରତ ଅଛନ୍ତି ବୋଲି ସେ ଏହି ଅବସରରେ ମତ ଦେଇଛନ୍ତି। ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ରୁପସା ସାମିଲ ହସନପୁର ପଂଚାୟତର ମାଳତୀ ପ୍ରଧାନ, ସମିତି ସଭ୍ୟା ଶାନ୍ତିଲତା ବେହେରା, ନାଏବ ସରପଂଚ ଜତ ବର ପ୍ରମୁଖଙ୍କ ସହ ଅନ୍ୟମାନେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରୁପସା ସାମିଲ ହସନପୁର ପଂଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ଯ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଂଚଳବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି। ସେମାନଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି। ନିର୍ବାଚନ ସମୟର ପ୍ରତିଶୃତି ରକ୍ଷା କରିବାକୁ ବିଧାୟକ ମାନସ ଦତ୍ତଙ୍କ ପଦକ୍ଷେପକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି।