ରୋଗୀ କଲ୍ୟାଣ ସମିତି ପ୍ରଶାସନିକ ପରିଚାଳନାର ସମୀକ୍ଷା କଲେ ସଦର ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରୁପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ଠାରେ ରୋଗୀ କଲ୍ୟାଣ ସମିତିର ପ୍ରଶାସନିକ ପରିଚାଳନା ଗତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବଧ ସ୍ୱାସ୍ଥ୍ୟ ସେବା ଓ ଅତ୍ୟାଧୁନିକ ସ୍ଥାସ୍ଥ୍ୟ ଉପକରଣ ତଥା ଡାକ୍ତରଙ୍କ ଉପସ୍ଥିତି ସମ୍ପର୍କରେ ଆଲୋଚନା ମଧ୍ୟମରେ ତଥ୍ୟ ନେଇଥିଲେ । ବିଶେଷ କରି ଚିକିତ୍ସାଧୀନ ରୋଗୀଙ୍କୁ ମିଳୁଥିବା ସେବା ତଥା ସୁବିଧା ସୁଯୋଗ, ଡାକ୍ତରଖାନାରୁ ଔଷଧ ପାଇବାରେ ସହଜତା, ନିଦାନ ବ୍ୟବସ୍ଥା ପ୍ରଭୃତି ସମ୍ପର୍କରେ ଶ୍ରୀ ଦତ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିଥିଲେ । ତେବେ ଚିକିତ୍ସାଳୟର ସ୍ୱଚ୍ଛତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧିନରେ କାର୍ଯ୍ୟକ୍ଷମ ଉପକେନ୍ଦ୍ରଗୁଡିକରେ ଆବଶ୍ୟକ ଥିବା ଅଧିକ ବ୍ୟବସ୍ଥା ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ଚିକିତ୍ସାଳୟ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ତେବେ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବା ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ପକ୍ଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀଙ୍କୁ ଉତ୍ତମ ଓ ସୁନିଶ୍ଚିତ ଚିକିତ୍ସା ସେବା ପ୍ରଦାନର ବ୍ୟବସ୍ଥା କରିବାକୁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ଓ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ ଜେନା ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରୁପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ବିନୟ ଦାସ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ବ୍ଲକ ପ୍ରୋଗାମ ମ୍ୟାନେଜର ସତ୍ୟ ସୁନ୍ଦର ଗୌସ୍ୱାମୀଙ୍କ ସମେତ ରୋଗୀ କଲ୍ୟାଣ ସମିତି ସଭ୍ୟ ରଶ୍ମିତା ମଣ୍ଡଳ, ବିଜୟ ସାହୁ, ଶ୍ରୀଧର ବେହେରା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।