ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) :ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ଆସିକା ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ଡ୍ରିଲ୍) ଅନୁଷ୍ଠିତ ହୋଇଯାଇଛି । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାମନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଗ୍ନିଶମ ଅଧିକାରୀ କୈଳାଶ ଚନ୍ଦ୍ର ସାହୁଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ଏହି ପ୍ରାକୃତିକ ବିପର୍ଯ୍ୟୟ ମକ୍ଡ୍ରିଲ କାର୍ଯ୍ୟକ୍ରମରେ ଆସିକା ଅଗ୍ନିଶମ ବିଭାଗର ମୁଖ୍ୟ ଅଗ୍ନିଯୋଦ୍ଧା ପ୍ରଶାନ୍ତ କୁମାର ମହାପାତ୍ର ଓ ଅଶୋକ କୁମାର ବାରିକ, ଗାଡିଚାଳକ ସନ୍ତୋଷ କୁମାର ନାୟକ, ଅଗ୍ନିଯୋଦ୍ଧା ରଂଜନ କୁମାର ଭୋଇ ଏବଂ ପ୍ରକାଶ କୁମାର କହଁର ପ୍ରମୁଖ ଯୋଗ ଦେଇ ଏହି ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିବା ସହ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା । ଏଥିରେ ଟାୱାର ଲାଇଟ୍, ଯନ୍ତ୍ରଚାଳିତ କରତ, ଜେନେରେଟର୍, ଷ୍ଟେଚର୍, ମେଗାଫୋନ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧରେ ଅଭ୍ୟାସ କରାଯାଇଥିଲା ବେଳେ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେଇ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ । ବନ୍ୟା ଓ ବାତ୍ୟା ଭଳି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଅନୁଷ୍ଠିତ ହୋଇଥିବା ଏହି ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍ ମୋହନ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ସୁଶ୍ରୀ ସନ୍ଧ୍ୟାରାଣୀ ବେହେରା, ଜି.ଆନନ୍ଦ ପାତ୍ର, ଶିକ୍ଷାନୁଷ୍ଠାନର କର୍ମଚାରୀ ସୁଶ୍ରୀ ଆଶାଲତା ପ୍ରଧାନଙ୍କ ସମେତ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।