ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ
ବୁଗୁଡା, (ଅନୀଲ କୁମାର ମହାରଣା) : ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଫେବୃଆରୀ ମାସର ବୈଠକ ପ୍ରଥମ ରବିବାର ୦୧/୦୨/୨୬ ତାରିଖ ଦିନ ଭଞ୍ଜନଗର ବନ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ବରିଷ୍ଠ ଆଡଭୋକେଟ ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଗଠନର ପୂର୍ବତନ କାର୍ଯ୍ୟକାରୀ ସଦସ୍ୟ ନୀଳମଣି ବେହେରାଙ୍କ ପରଲୋକ ଗମନ ହୋଇଥିବା ଯୋଗୁଁ ଦୁଇ ମିନିଟ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସମ୍ପାଦକ ରବି ନାରାୟଣ ସାମନ୍ତ ଗତ ବାର୍ଷିକ ସମ୍ମିଳନୀର ବିବିରଣୀ ପଠନ ସହ ଆୟ ବ୍ୟୟ ହିସାବ ଉପସ୍ଥାପନ କରିବା ପରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଆଲୋଚନା ହୋଇ ଆସନ୍ତ ଫେବୃୟାରୀ ୧୦ ଓ ୧୧ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ଘୁମୁସର ମହୋତ୍ସବରେ ଯୋଗଦେବେ ତାହାର ତାଲିକା ପ୍ରସ୍ତୁତ କରାଗଲା। ଗୋପାଳପୁର – ରେଢ଼ାଖୋଲ ରେଳପଥ ନିର୍ମାଣ ଦାବିରେ ଆସନ୍ତା ମାର୍ଚ୍ଚ ମାସ ୧୭ ତାରିଖରେ ଦିଲ୍ଳୀର ଯନ୍ତର ମନ୍ତର ରୋଡରେ ଅନୁଷ୍ଠିତ ଧାରଣାରେ ଯୋଗ ଦେବା ବିଷୟରେ ଆଲୋଚନା ହୋଇଥିଲା। ଗତ ବାର୍ଷିକ ସମ୍ମିଳନୀରେ ସ୍ଥଗିତ ଥିବା କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବତନ କର୍ମକର୍ତ୍ତା ବୃନ୍ଦ ପୁନଃ ନିର୍ବାଚିତ ହୋଇଥିବା ବେଳେ ନୂତନ ସହ ସମ୍ପାଦକ ଭାବେ ବି. ରାମଚନ୍ଦ୍ର ପାତ୍ର ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ସାହୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଶେଷରେ ଉପସଭାପତି ବାଳକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କଲାପରେ ସଭାପତି ସଭା ସାଙ୍ଗ କରିଥିଲେ।


