ମାଟ୍ରିକ ପରୀକ୍ଷାରେ ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ
କଟକ, (ଓ୍ବାଇଏନଏସ): ମାଟ୍ରିକ୍ ପ୍ରଥମ ଦିନ ଓଡ଼ିଆ ପରୀକ୍ଷାରେ ୧୨ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଗତକାଲି ଦ୍ୱିତୀୟ ଦିନ ଇଂରାଜୀ ବିଷୟରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୩ ହଜାର ଟପିଛି । ଅନ୍ୟପକ୍ଷରେ ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଇଂରାଜୀ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଓ ନୂଆପଡ଼ାରୁ ଜଣେ ଏପରି ରାଜ୍ୟରେ ମୋଟ ୬ ଜଣ ପରୀକ୍ଷାର୍ଥୀ କପି କରି ଧରା ପଡ଼ି ମାଲ୍ପ୍ରାକ୍ଟିସ୍ ଅଭିଯୋଗରେ ବୁକ୍ ବା ଏମ୍ପି ହୋଇଥିବା ସୂଚନା ମିଳିଛି । ତେବେ କପି ଅଭିଯୁକ୍ତଙ୍କ ସଂଖ୍ୟା ଏତେ କମ୍ ରହିବା ସମ୍ପର୍କରେ ବୋର୍ଡର ସୂଚନା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । କୋଭିଡ୍ ସମୟକୁ ଛାଡ଼ି ଦେଲେ ମାଟ୍ରିକ ପରୀକ୍ଷା ଇତିହାସରେ ଏତେ କମ୍ କପି ଅଭିଯୁକ୍ତ ବୁକ୍ ହେବା କେବେ ଘଟିନଥିଲା । ଓଡ଼ିଆରେ ଜଣେ ହେଲେ ବି ପରୀକ୍ଷାର୍ଥୀ କୌଣସି ପରୀକ୍ଷା କେନ୍ଦ୍ରରେ ଏମ୍ପି ନହେବା ସମ୍ଭବ ନୁହେଁ ବୋଲି ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ବୋର୍ଡର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି । ଗତବର୍ଷ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ୍(ଏଆଇ) କ୍ୟାମେରା ବ୍ୟବହାର ସତ୍ତ୍ୱେ ଇଂରାଜୀରେ ଅଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ଏମ୍ପି ହୋଇଥିଲେ । ଚଳିତ ବର୍ଷ କମ୍ ଏମ୍ପି ସଂଖ୍ୟା ସନ୍ଦେହ ସୃଷ୍ଟି କରିଛି । ରାଜ୍ୟରେ ୩ ହଜାର ୮୨ ଯାକ କେନ୍ଦ୍ରରୁ ପରୀକ୍ଷା ସମୟରେ ସିଧାପ୍ରସାରଣ ପାଇଁ ବ୍ୟବସ୍ଥା ରହିଥିଲେ ହେଁ ଅଦ୍ୟାବଧି ସମସ୍ତ ସେଣ୍ଟର୍ରେ ଏହା କାର୍ଯ୍ୟକାରୀ ହୋଇପାରି ନଥିବା ଖବର ମିଳିଛି । କେତେକ ପରୀକ୍ଷା କେନ୍ଦ୍ର ବୋର୍ଡକୁ ଚକମା ଦେଉଥିବା ସୂଚନା ମିଳିଛି । ପରୀକ୍ଷାର୍ଥୀମାନେ ଗେଟ୍ ଭିତରକୁ ସକାଳ ୭ଟା ୩୦ ମିନିଟ୍ରୁ ପ୍ରବେଶ କରିବାଠୁ ପରୀକ୍ଷା ଶେଷ ପରେ ଉତ୍ତରଖାତା ସିଲ୍ ହୋଇ ନୋଡାଲ୍ ସେଣ୍ଟରକୁ ଆସିବା ପର୍ଯ୍ୟନ୍ତ ସିଧା ପ୍ରସାରଣ ଲାଗି ବ୍ୟବସ୍ଥା ରହିଛି । ମାତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସିଧାପ୍ରସାରଣରୁ ଦୂରେଇ ରଖିବା ପାଇଁ ବିଜୁଳି କାଟ୍, ଇଣ୍ଟରନେଟ୍ ସମସ୍ୟା ଆଦି ଆଳ ଦେଖାଇ ବୋର୍ଡକୁ ଭୁଆଁ ବୁଲାଉଛନ୍ତି କେତେକ କେନ୍ଦ୍ର । ବୋର୍ଡର କମାଣ୍ଡ୍ କଣ୍ଟ୍ରୋଲ୍ ରୁମ୍ରେ ବୈଷୟିକ ଅନୁଧ୍ୟାନ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥାର ଅଧିକାରୀ ଏବଂ ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଏସବୁ ଜାଣୁଥିଲେ ମଧ୍ୟ ଉପାୟଶୂନ୍ୟ ହେଉଛନ୍ତି । ପରୀକ୍ଷା ସମୟରେ ଆଜି କେତେକ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଙ୍ଗ୍ ହୋଇପାରି ନଥିବା ଜଣାଯାଇଛି । ଯାହାକି ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।କପିରେ କେହି ଧରାପଡ଼ିଲେ ପରୀକ୍ଷା ନିରୀକ୍ଷକ ଓ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍ ଉତ୍ତରଦାୟୀ ରହିବେ ବୋଲି ଚେତାବନୀ ଥିବାରୁ ସମ୍ପୃକ୍ତ ଶିକ୍ଷକମାନେ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ସେଣ୍ଟରଗୁଡ଼ିକରେ ଚାଲାକି କରୁଥିବାର କୁହାଯାଉଛି । ଏମିତିକି ସ୍କ୍ୱାଡ୍ରେ ଥିବା ସଦସ୍ୟଙ୍କର ଜଗତସିଂହପୁର, କଟକ ଜିଲ୍ଲାର ନରସିଂହପୁର ବ୍ଲକ୍, ଅନୁଗୁଳ ଆଦି ଆଦି ବ୍ଲକ୍ କିଛି ଅନିୟମିତତା ନଜରକୁ ଆସିଥିଲେ ମଧ୍ୟ ଜିଲ୍ଲା ସ୍ତରରେ ଏହାକୁ ଚାପି ଦିଆଯାଇଥିବା ଖବର ମିଳିଛି । ପରୀକ୍ଷା କେନ୍ଦ୍ରରେ ଢିଲା ମାରିବା ପାଇଁ ଏବଂ କପିକୁ ପ୍ରୋତ୍ସାହନ ଦେବା ଲାଗି ଏମିତି କିଛି ବିବାଦୀୟ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କପି ଅଭିଯୁକ୍ତଙ୍କ ସଂଖ୍ୟା କମ୍ ଦର୍ଶାଯିବା କେବଳ ପ୍ରହସନ ବୋଲି ଜଣେ ଶିକ୍ଷାବିତ୍ କହିଛନ୍ତି ।


