କଟକ ଜିଲ୍ଲାରେ ୩ ହଜାରରୁ ଅଧିକ କିଡ୍‌ନୀ ଆକ୍ରାନ୍ତ

କଟକ, (ଓ୍ବାଇଏନଏସ): ଗତ ତିନି ବର୍ଷରେ ସାରା ରାଜ୍ୟରେ ପ୍ରାୟ ୨୦ ହଜାର କିଡ୍‌ନୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ କଟକ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରୁ ଅଛନ୍ତି ୭ ହଜାର ଆକ୍ରାନ୍ତ ରହିଛନ୍ତି । ଏହି ୭ ହଜାର ଆକ୍ରାନ୍ତଙ୍କ ମଧ୍ୟରେ କ୍ରନିକ୍‌ କିଡ୍‌ନୀ ଡିଜିଜ୍‌(ସିକେଡି)ର ସଂଖ୍ୟା ପ୍ରାୟ ୯୦ ପ୍ରତିଶତ । ବଡ଼ମ୍ବା ଓ ନରସିଂହପୁର ବ୍ଲକ୍‌ କିଡ୍‌ନୀ ରୋଗର ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ଏବେ ବାଙ୍କୀ, ଡମପଡ଼ା, ତିଗିରିଆ, ଆଠଗଡ଼ ବ୍ଲକ୍‌ରେ ମଧ୍ୟ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ରିପୋର୍ଟ ମୁତାବକ, ଏହି ସବୁ ବ୍ଲକ୍‌ରେ ପ୍ରାୟ ୩ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ରହିଥିବା ଜଣାପଡିଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବ୍ଲକ୍‌ରେ କିଡ୍‌ନୀ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି । ଏକରକମ ଅଧା କଟକ ଏବେ କିଡ୍‌ନୀ ରୋଗ କବଳକୁ ଗଲାଣି । କଟକର ଗ୍ରାମାଞ୍ଚଳରେ କ୍ରୋନିକ୍‌ କିଡ୍‌ନୀ ରୋଗ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଦେଖାଦେଇଛି । କିଛି ବର୍ଷ ତଳେ ଇଣ୍ଟରନ୍ୟାସନାଲ୍‌ ଜର୍ଣ୍ଣାଲ୍‌ ଅଫ୍‌ ଏନ୍‌ଭାରମେଣ୍ଟାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ପବ୍ଲିକ୍‌ ହେଲ୍‌ଥ୍‌ରେ ଏ ବାବଦରେ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଥିଲା । ରିପୋର୍ଟ ଆଧାରରେ, ନରସିଂହପୁରର ୨୪ଟି ଗ୍ରାମକୁ ନମୁନା ଭାବେ ଚୟନ କରାଯାଇଥିଲା । ସେଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ସ୍କ୍ରିନିଂ କରାଯାଇଥିବା ୨ହଜାର ୯୭୮ ଲୋକଙ୍କ ମଧ୍ୟରୁ ମୋଟ୍‌ ୧୪.୩ ପ୍ରତିଶତ ଲୋକଙ୍କ ମଧ୍ୟରେ କିଡ୍‌ନୀ ସମସ୍ୟା ଥିବା ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ ହେଲା, ଏଥିରୁ ୧୦.୮ ପ୍ରତିଶତ ଲୋକଙ୍କ ରୋଗର କାରଣ ଅଜଣା । କେତେକ ଗ୍ରାମରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଲୋକ ପ୍ରଭାବିତ ଥିଲେ । ୨୦୧୦ ପରଠାରୁ କେବଳ ବଡମ୍ବା ଓ ନରସିଂପୁରରେ ୨୦ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ସୁଦ୍ଧା ମୃତକଙ୍କ ବାସ୍ତବ ରିପୋର୍ଟ ସାମ୍ନାକୁ ଆସିନାହିଁ । ସରକାରୀ ରିପୋର୍ଟ ଅନୁସାରେ, ମୃତକଙ୍କ ସଂଖ୍ୟା ପ୍ରାୟ ୪ଶହ ଭିତରେ । ଏବେ ପ୍ରତିବର୍ଷ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏ ପ୍ରଶାସନ ତରଫରୁ ଏବେ ଯାଏ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅନ୍ୟପକ୍ଷରେ ଗତ କିଛି ବର୍ଷ ଧରି ବାଙ୍କୀ ଓ ଡମପଡା ବ୍ଲକ୍‌ରେ କିଡନୀ ରୋଗ ଏକ ଚିନ୍ତାଜନକ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଚିନ୍ତା ବଢାଇଲାଣି । ଦୁଇ ବ୍ଲକ୍‌ର ବିଭିନ୍ନ ଗାଁ ଯେମିତି କୋଟଗାଁ, ଉଆସପଲ୍ଲୀ, ବୈଦେଶ୍ୱର ପଞ୍ଚାୟତ, କାନ୍ତପହଁରା ଆଦି ଅଞ୍ଚଳ ହଟ୍‌ସ୍ପଟ୍‌ ପାଲଟିଲାଣି । କୋଟଗାଁରେ ଦୁଇ ବର୍ଷ ମଧ୍ୟରେ କିଡ୍‌ନୀ ରୋଗରେ ୭ ଜଣଙ୍କ ମୃତ୍ୟୁ ହୋଇଛି । କୋଟଗାଁରେ ସାଢେ ଚାରି ଶହ ଲୋକେ ବସବାସ କରୁଥିବା ବେଳେ କିଡ୍‌ନୀ ରୋଗ ଭୟରେ ଅନେକ ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି । ଗାଆଁ ବାହାରେ ରହୁଥିବା ଲୋକେ ଗାଁକୁ ଆସିବାକୁ ଡରିଲେଣି । କନ୍ତପହଁରା ଗାଁରେ ଗତ ୫ ବର୍ଷରେ ୨୦ରୁ ଅଧିକ ମୃତ୍ୟୁ ଏବଂ ୩୦ରୁ ଅଧିକ ଆକ୍ରାନ୍ତ ଥିବା ଜଣାପଡିଛି । ସୂଚନା ମୁତାବକ, ଏହି ସବୁ ବ୍ଲକ୍‌ରେ ପିଇବା ପାଣି କହିଲେ ମୁଖତଃ ଭୂତଳ ଜଳ ବା ଟ୍ୟୁବୱେଲ୍‌ ପାଣିକୁ ବ୍ୟବହାର କରିଆସୁଛନ୍ତି ଲୋକେ । ଏହି ପାଣିରେ ଆର୍ସେନିକ୍‌, କ୍ୟାଡ୍‌ମିୟମ୍‌, ଲେଡ୍‌ ସହିତ ଫ୍ଲୋରାଇଡ୍‌ ଆଦି ଥାଇପାରେ ବୋଲି କୁହାଯାଉଛି । ଏମିତିକି ଖାଦ୍ୟଶସ୍ୟରେ ଧାତବ ପଦାର୍ଥ ମଧ୍ୟ ଅତୀତରେ ଚିହ୍ନଟ କରାଯାଇଛି । ତେଣୁ ପିଇବା ପାଣି ସମସ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି । ପିଇବା ପାଣି ବ୍ୟବସ୍ଥା ସୁଧାରିବାକୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କାମ ଚାଲିଛି । କିଡ୍‌ନୀ ସମସ୍ୟା ମୂଳତଃ ପିଇବା ପାଣିରୁ ହେଉଥିବା ବେଳେ ଉଭୟ ବଡ଼ମ୍ବା, ନରସିଂହପୁର, ବାଙ୍କୀ ଓ ଡମପଡ଼ା ବ୍ଲକ୍‌ରେ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ସରିବା ନାଁ ଧରୁନି । ଏବେ ସୁଦ୍ଧା ମାତ୍ର ୭୦ ଭାଗ କାମ ସରିଛି । କଟକ ଜିଲ୍ଲାରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ଯାଏ ଏହି ରୋଗରେ କେତେ ଆକ୍ରାନ୍ତ ଓ କେତେ ମୃତ୍ୟୁ ହେଲାଣି ସେ ବାବଦରେ ପ୍ରଶାସନ ତରଫରୁ କୌଣସି ରିପୋର୍ଟ ସାର୍ବଜନୀନ କରାଯାଉନାହିଁ । ଗ୍ରାମାଞ୍ଚଳରେ ଏମିତି ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ବେଳେ ଅନେକ ହସ୍‌ପିଟାଲକୁ ମଧ୍ୟ ନଯାଇ ଘରେ ପଡିରହୁଛନ୍ତି । ଡାଇଲିସିସ୍‌ ପାଇଁ ନରସିଂହପୁରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ୧୩ଟି ମେସିନ୍‌ ସ୍ଥାପନ କରାଯାଇଥିବା ବେଳେ ଏଥିରୁ କିଛି ଖରାପ ମଧ୍ୟ ହୋଇସାରିଲାଣି । ଏଭଳି ସ୍ଥିତିରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସ୍ଥିତିରେ କିଛି ସୁଧାର ଆସିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ