ବିଇଡି ପାଇଁ ଆନ୍ଧ୍ର ମୁହାଁ ଅଧିକାଂଶ ଛାତ୍ରଛାତ୍ରୀ: ଆସିକାରେ ଦଲାଲ୍‍ ସକ୍ରିୟ!

ଆସିକା  (ୱାଇଏନ୍‍ଏସ୍‍) : ଶିକ୍ଷକତା ପାଇଁ ଆବଶ୍ୟକ ବିଏଡ୍‍ (ବିଇଡି) ତାଲିିମ୍‍ । ମାତ୍ର ଆସିକା ଅଞ୍ଚଳରେ କୌଣସି ମହାବିଦ୍ୟାଳୟରେ ଅଦ୍ୟାବଧି ବିଇଡି ପାଠ୍ୟକ୍ରମ ଖୋଲିନଥିବା ଯୋଗୁଁ ବହୁ ଆଗ୍ରହୀ ଛାତ୍ରଛାତ୍ରୀ ସ୍ନାତକ ଶିକ୍ଷା ସମାପ୍ତ ପରେ ଆନ୍ଧ୍ରପ୍ରଦେଶ ମୁହାଁ ହେଉଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ପଡୋଶୀ ଆନ୍ଧ୍ରପ୍ରଦେଶରେ ଅତ୍ୟନ୍ତ ସୁବିଧାରେ ପ୍ରାୟତଃ ବିଇଡି ପାଠ୍ୟକ୍ରମରେ ସଫଳତା ହାସଲ କରିବାରେ ସୁଯୋଗ ଥିବାରୁ ସେଠାରେ ନାମଲେଖାଇବା ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । କେବଳ କିଛି ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ଆନ୍ଧ୍ରପ୍ରଦେଶକୁ ଯାଇ ବିଇଡି ପାଠ୍ୟକ୍ରମର ଜ୍ଞାନ ଆହରଣ ପାଇଁ କ୍ଳାସ୍‍ କରିବାର ଆବଶ୍ୟକତା ନାହିଁ । କିନ୍ତୁ ପରୀକ୍ଷା ଦେବା ସମୟରେ ଉପସ୍ଥିତ ରହି ପରୀକ୍ଷା ଦେଲେ ସାର୍ଟିଫିକେଟ୍‍ ମିଳିଯାଉଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଓଡିଶାର ସରକାରୀ ଅନୁଷ୍ଠାନ ଓ ଆନ୍ଧ୍ରପ୍ରଦେଶର ସାର୍ଟିଫିକେଟ୍‍ ମଧ୍ୟରେ କୌଣସି ଫରକ୍‍ ରହୁନାହିଁ । ଏଭଳି କାରଣରୁ ଆସିକା ଅଞ୍ଚଳର ବହୁ ଆଗ୍ରହୀ ଛାତ୍ରଛାତ୍ରୀ କେତେକ ଦଲାଲ୍‍ ମାନଙ୍କ ମଧ୍ୟସ୍ଥତାରେ ଆନ୍ଧ୍ରପ୍ରଦେଶର କେତେକ ଶିକ୍ଷାନୁଷ୍ଠାନରେ ବିଇଡି କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ଯୁବପିଢୀ ଆନ୍ଧ୍ରପ୍ରଦେଶର କେତେକ ବିଇଡି ଶିକ୍ଷାନୁଷ୍ଠାନର ଦଲାଲ୍‍ ସାଜି ଏଠାରେ ସକ୍ରିୟ ହୋଇ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସେଠାରେ ନାମ ଲେଖାଇ ହଜାର ହଜାର ଟଙ୍କା ରୋଜଗାର କରୁଥିବା ବିଭିନ୍ନ ମହଲରେ ଆଲୋଚିତ ହେଉଛି । ଅତୀତରେ ଆସିକାର ପୂର୍ବତନ ବିଧାୟକ ଦେବରାଜ ମହାନ୍ତିଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ୫୦ଟି ସିଟ୍‍ରେ ସେଲ୍‍ଫ ଫାଇନାନ୍ସିଂ ମାଧ୍ୟମରେ ବିଇଡି ପାଠ୍ୟକ୍ରମ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମେ ପ୍ରସ୍ତାବ ଓ ପରବର୍ତ୍ତୀ ସମୟରେ ଅନୁମୋଦନ ଲାଭ କରିଥିଲେ ମଧ୍ୟ ତାହା କୌଣସି କାରଣରୁ କାଗଜ କଲମରେ ସୀମିତ ରହିଯାଇଥିବା ଅଭିଯୋଗ ହେଉଛି । ଛାତ୍ରଛାତ୍ରୀଙ୍କ ସ୍ନାତକ ଶିକ୍ଷା ସମାପ୍ତ ପରେ ଦୁଇ ବର୍ଷିଆ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବା ନିୟମ ରହିଛି । ତେବେ ଗଞ୍ଜାମ ଜିଲ୍ଲାରେ ବିଇଡି ପାଠ୍ୟକ୍ରମ ପାଇଁ ସୁଯୋଗ ଥିବା କେତେକ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପରିମାଣରେ ସିଟ୍‍ ନଥିବା ଯୋଗୁଁ ବହୁ ଆଗ୍ରହୀ ଛାତ୍ରଛାତ୍ରୀ ଆନ୍ଧ୍ରମୁହାଁ ହେଉଥିବା ଅଭିଯୋଗ ହେଉଛି । ସରକାରୀ ବିଇଡି କଲେଜରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହେବା ନିୟମ ଥିଲା ବେଳେ ଆନ୍ଧ୍ରର କେତେକ ଶିକ୍ଷାନୁଷ୍ଠାନରେ ସେସବୁ ନିୟମ ନଥିବା ଯୋଗୁଁ ବହୁ ଛାତ୍ରଛାତ୍ରୀ ବିକଳ୍ପ ଭାବେ ଆନ୍ଧ୍ରରେ ଅଧିକ ଖର୍ଚ୍ଚ କରି ବିଇଡି ପାଇଁ ନାମ ଲେଖାଉଥିବା ଜଣାପଡିଛି । ଏପରିକି ଛାତ୍ରଛାତ୍ରୀମାନେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ବିଇଡି ପରୀକ୍ଷା ପାଇଁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି । ସବୁଠୁ ବଡ କଥା ହେଲା ଆନ୍ଧ୍ରର କେତେକ ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ନିୟମିତ କ୍ଳାସ୍‍ କରିବାର ସୁବିଧା ପାଉ ନାହାନ୍ତି । କେବଳ ଘରେ ପଢି ପରୀକ୍ଷା ଦେଉଥିବା ଜଣାପଡିଛି । ଯାହାରି ଫଳରେ ସେମାନଙ୍କ ଦକ୍ଷତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହେଉଛି । ସରକାରୀ ବିଇଡି କଲେଜରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କର ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ରହିବା ସାଙ୍ଗକୁ ପ୍ରାକ୍ଟିକାଲ୍‍ ସୁବିଧା ମଧ୍ୟ ରହିଛି । ତେବେ ନିୟମିତ କଲେଜ ଆସି ପାଠ ପଢୁଥିବା ଓ ବିନା କ୍ଳାସରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତାରେ ନିଶ୍ଚିତ ଭାବେ ଫରକ୍‍ ରହିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ବିଇଡି ପାଠ୍ୟକ୍ରମ ଖୋଲାଗଲେ ବହୁ ବିଦ୍ୟାର୍ଥୀ ଉପକୃତ ହୋଇପାରିବେ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ