ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସୁନାହାନ୍ତି ଅଧିକାଂଶ ଶିକ୍ଷକ! ବାୟୋମେଟ୍ରିକ୍‍ ଉପସ୍ଥାନ କାର୍ଯ୍ୟକାରୀ ଦାବୀ

ଆସିକା  (ୱାଇଏନ୍‍ଏସ୍‍) : ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସୁନାହାନ୍ତି ବହୁ ସରକାରୀ ସ୍କୁଲର ଶିକ୍ଷକ । ଆସିକା ଅଞ୍ଚଳର ସରକାରୀ ବିଦ୍ୟାଳୟକୁ ବହୁ ଦାୟିତ୍ୱବାନ୍‍ ଓ କର୍ତ୍ତବ୍ୟନିଷ୍ଟ ଶିକ୍ଷକ ଠିକ୍‍ ସମୟରେ ସମୟ ନିର୍ଘଣ୍ଟ ଅନୁଯାୟୀ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ବେଳେ କେତେକ ଶିକ୍ଷକ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ନଆସି ବିଳମ୍ବରେ ଆସୁଥିବା ଯୋଗୁଁ ପାଠପଢା ବ୍ୟାଘାତ ହେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଥିବା ଲକ୍ଷ୍ୟ କରାଯାଇଛି । ଏପରିକି କେତେକ ଶିକ୍ଷକ ବିଦ୍ୟାଳୟରେ ପାଠ ପଢାଉନଥିବା ମଧ୍ୟ ଆଲୋଚିତ ହେଉଛି । ଶିକ୍ଷକଙ୍କ ଉପସ୍ଥାନ ଓ ସମୟ ଯାଞ୍ଚ କରିବା ପାଇଁ ସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ବାୟୋମେଟ୍ରିକ୍‍ ଓ ସିିସିଟିଭି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । କେଉଁ ସମୟରେ ଶିକ୍ଷକମାନେ ସ୍କୁଲ ଆସୁଛନ୍ତି ଓ ସ୍କୁଲରେ କେତେ ସମୟ ରହୁଛନ୍ତି ସେସବୁ ଗୁଡିକର ତଦାରଖ ପାଇଁ ଗତ କିଛି ବର୍ଷ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବାୟୋମେଟ୍ରିକ୍‍ ବ୍ୟବସ୍ଥା ଭଳି ଏକ ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ତେବେ ଗତ ୨୦୧୪ ମସିହାରୁ ପରିକଳ୍ପନା କରାଯାଇଥିବା ଏହି ଯୋଜନା ଶୀତଳଭଣ୍ଡାରରେ ପଡିରହିଛି । ବାୟୋମେଟ୍ରିକ୍‍ ଯୋଜନା ଶିକ୍ଷକମାନଙ୍କ ସହିତ ପିଲାମାନଙ୍କ ପାଇଁ ଲାଗୁ କରାଯିବାର ବ୍ୟବସ୍ଥା କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଶିକ୍ଷାବିଭାଗ ପକ୍ଷରୁ ଅତୀତରେ ଏହି ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମକୁ କିଛି ସ୍କୁଲରେ ପାଇଲଟ୍‍ ପ୍ରକଳ୍ପ ଭାବେ ଆରମ୍ଭ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ହେଲେ ପରିତାପର ବିଷୟ ସ୍କୁଲସ୍ତରରେ ଏହାକୁ ଲାଗୁ କରିବା ସମ୍ଭବପର ହୋଇପାରିଲା ନାହିଁ । ସରକାରୀ ତହବିଲରୁ ମାସିକ ମୋଟା ରକମ ଦରମା ନେଇ କେତେକ ଶିକ୍ଷକ ବିଳମ୍ବରେ ସ୍କୁଲକୁ ଆସୁଥିବା ବେଳେ ଆଉ କେତେକ ଶିକ୍ଷକ ବିଦ୍ୟାଳୟରେ ପାଠ ପଢାଉନଥିବା ଚର୍ଚ୍ଚା ହେଉଛି । ଆସିକା ଅଞ୍ଚଳର ଅଧିକାଂଶ ବିଦ୍ୟାଳୟରେ କୋଳି ଖାଇ ମଞ୍ଜି ପୋତିଲା ଭଳି ବର୍ଷ ବର୍ଷ ଧରି ଅବସ୍ଥାପିତ ଥିବା କେତେକ ଶିକ୍ଷକ ନିଜକୁ ସଂଘ ନେତା ବୋଲି ପରିଚୟ ଦେଇ ସରକାରୀ ନୀତିନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ବିନା ଡ୍ରେସ୍‍ କୋଡ୍‍ରେ ବିଦ୍ୟାଳୟକୁ ଯିବା ଠାରୁ ଆରମ୍ଭ କରି ନିଜ ନିଜ ବିଦ୍ୟାଳୟରେ ସମୟ ନିର୍ଘଣ୍ଟ ଅନୁଯାୟୀ ପାଠ ନପଢାଇ ବିଭିନ୍ନ ବାହାନାରେ ବିଦ୍ୟାଳୟ ଛାଡି ଚାଲିଆସୁଥିବା ମଧ୍ୟ କେତେକ ମହଲରେ ଚର୍ଚ୍ଚା ହେଉଛି । ଶିକ୍ଷାବିଭାଗ କର୍ତ୍ତୃପକ୍ଷ ଅଚାନକ କେତେକ ବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ଡାକି ୱାନ୍‍ ଟୁ ୱାନ୍‍ ପଚାରି ବୁଝିଲେ କେଉଁ ଶିକ୍ଷକ କିପରି ପାଠ ପଢାଉଛନ୍ତି ତାହାର ପ୍ରକୃତ ରହସ୍ୟ ଓ ସତ୍ୟାସତ୍ୟ ଉନ୍ମୋଚିତ ହୋଇପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ କାର୍ଯ୍ୟରତ ଶିକ୍ଷକମାନଙ୍କ ମଧ୍ୟରୁ ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରି ସମୟ ନିର୍ଘଣ୍ଟ ଅନୁଯାୟୀ ବିଦ୍ୟାଳୟକୁ ଆସୁନାହାନ୍ତି ତାହାର ଏକ ନିରପେକ୍ଷ ତଥ୍ୟ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ