ମାଁ ଗଢିଆଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପନ ଦିବସ

ସିନାପାଲି (ଲିଲାମ୍ବର ନାଗ): ନୂଆପଡା ଜିଲ୍ଲା ସିନାପାଲି କଲେଜ ସମ୍ମୁଖ ଧାନମଣ୍ଡି ଖେଳ ପଡିଆରେ ସିନାପାଲି–କାପସି ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୁଳ୍ୟରେ ଆୟୋଜିତ ମାଁ ଗଢିଆଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ (ସଂସ୍କରଣ–୮) ର ଫାଇନାଲ ମ୍ୟାଚ ଭୟଙ୍କର ରୋମାଞ୍ଚକର ହୋଇଥିଲା। ଶେଷରେ ବିଜେପୁର କ୍ରିକେଟ ଦଳ ଐତିହାସିକ ବିଜୟ ହାସଲ କରି ଚ୍ୟାମ୍ପିୟନ ହୋଇଥିଲା। ୧୫ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ଡଙ୍ଗରିଗୁଡା ଟସ୍ ଜିତି ପ୍ରଥମେ ଫିଲ୍ଡିଂ  ବାଛିଥିଲା। ବିଜେପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୭ ଉଇକେଟ୍ ହରାଇ ୧୨୯ ରନ ସଂଗ୍ରହ କରିଥିଲା ଓ ବିପକ୍ଷକୁ ୧୩୦ ରନର ଲକ୍ଷ୍ୟ ଦେଇଥିଲା। ଲକ୍ଷ୍ୟ ପଛୁଆ କରିବାକୁ ଯାଇ ଡଙ୍ଗରିଗୁଡା ଦଳ ଭଲ ଲଢେଇ ଦେଇଥିଲେ ମଧ୍ୟ ୧୫ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୨୬ ରନ କରି ପରାଜୟ ବରଣ କରିଥିଲା । ଶତାଧିକ ଖେଳପ୍ରେମୀ ଉପସ୍ଥିତ ହୋଇ ଦୁଇ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅମ୍ପାୟାର ଭାବେ ଧନଞ୍ଜୟ ମେହେର ଓ ସୌରଭ ରଞ୍ଜନ ଯୋଶୀ, ମ୍ୟାଚ ରେଫେରି ଭାବେ ବିନ୍ଦୁସାଗର ମେହେର, ସ୍କୋରବୋର୍ଡରେ ସୁଭମ ମେହେର ଓ ରାକେଶ ମେହେର ଦାୟିତ୍ୱ ନିଭାଇଥିଲେ। ହିନ୍ଦୀ ଭାଷ୍ୟକାର ଭାବେ ବିକାଶ କଶ୍ୟପ, ନରେଶ ମାଝୀ, ବିଜୁ ସେଠୀ, ମହେଶ ଦୀପ, ସାଗର ନାଗ, ଯୌବନ ଗହିର ଓ ଓଡ଼ିଆ ଭାଷ୍ୟକାର ଭାବେ ଅରବିନ୍ଦ ହୋତା ଦର୍ଶକମାନଙ୍କୁ ଖେଳର ଉତ୍ସାହ ସହ ଯୋଡି ରଖିଥିଲେ। ୭୭ତମ ସାଧାରଣତନ୍ତ୍ର ଦିବସ (୨୬/୦୧/୨୦୨୬) ଦିନ ବିଜେପୁର ଦଳ ଏହି ବିଜୟ ହାସଲ କରିବାରୁ ଅବସରଟି ଅଧିକ ସ୍ମରଣୀୟ ହୋଇଥିଲା। ଏହି ଅବସରରେ ପ୍ରସିଦ୍ଧ କଳାକାର ଚନ୍ଦନ ସତପଥି ଓ ପ୍ରାଚି ପାଣିଗ୍ରାହୀ ସହ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ହିତେଶ ବଗର୍ତୀ (ପୂର୍ବତନ ବିଧାୟକ, ଖରିଆର) ଯୋଗଦେଇଥିଲେ। ବିଶେଷ ଅତିଥିମାନଙ୍କ ମଧ୍ୟରେ ଡଲି ମାଝୀ, ଅଭିନନ୍ଦ ପାଣ୍ଡା, କମଲେଶ ଦିକ୍ଷିତ, ମାଧୁରୀ ମାଝୀ, ପ୍ରିୟରଞ୍ଜନ ମେହେର, ତ୍ରିନାଥ ମେହେର, ମନୀଷ କୁମାର ପଟେଲ, ରଜନୀକାନ୍ତ ମାଝୀ, ପ୍ରସନ୍ନ ମାଝୀ, ରମନୁଇ ପୁରୋହିତ, ବୈକୁଣ୍ଠ ମେହେର, ଚିତ୍ତରଞ୍ଜନ ମେହେର, ବିଦ୍ୟାଧର ସା, ଅଜିତ ଜୋଶୀ, ରତ୍ନାକର ଭୋଇ, ଜଗନ୍ନାଥ ସାଗର, ଦେବେଶ ମେହେର ଓ ଆଲୋକ ମେହେର ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟ କେବଳ ଖେଳ ନୁହେଁ, ବରଂ ଯୁବପିଢିର ପ୍ରତିଭା, କ୍ରୀଡାମନୋଭାବ ଓ ଅଞ୍ଚଳୀୟ ଏକତାର ଉତ୍ସବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ