ଲଗାଣ ବର୍ଷାରେ ଭୁଷୁଡି ପଡ଼ିଲା ମାଟିଘର: ସହାୟତା ପାଇଁ ନିବେଦନ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ) :ମୁନିଗୁଡ଼ା ବ୍ଲକର ଅଗୁଳ ପଞ୍ଚାୟତ ଅନ୍ତର୍ଗତ ନିଆଳି ଗ୍ରାମ ଆଦିବାସୀ ସାହିର ଲତ୍ରା ଗଗେରଙ୍ଗାଙ୍କ ମାଟି ଘର ଗତକାଲି ରାତିର ଲଗାଣ ବର୍ଷାରେ ଭୁଷୁଡି ପଡ଼ିଛି।ସୂଚନା ଅନୁଯାୟୀ ଲତ୍ରା ଗତକାଲି ରାତ୍ରରେ ଖାଇପିଇ ନିଜ ପରିବାର ସହ ଘରେ ଶୋଇଥିଲା।ଏହି ସମୟରେ ତୁହାକୁ ତୁହା ପାହାଡି ବର୍ଷା ରାତ୍ରର ନିରବତାକୁ ଭୟାନକ କରି ଦେଇଥାଏ।ବିଜୁଳି ଘଡଘଡିର ଗର୍ଜନ ଭିତରେ ଏହି ମାଟିଘରେ ଲତ୍ରା ନିଜ ପତ୍ନୀ ନିଦ୍ରା,ପୁଅ ପିତାମ୍ବର ଓ ୪ବର୍ଷର ନାତି ପିଲା ସହ ଶୋଇ ପଡ଼ିଥିଲା।ହଠାତ୍ ଧୁମ୍ କରି ଏକ ବିରାଟ ଶବ୍ଦରେ ସେମାନଙ୍କ ନିଦ ଭାଙ୍ଗିଗଲା।ଘର ଭିତରେ ଥାଇ ସେମାନଙ୍କୁ ଦେଖିବାକୁ ମିଳିଲା ତାଙ୍କ ଘରର ଏକପଟ ସାଇଡ଼ କାନ୍ଥ ବାହାରକୁ ଟଳି ପଡ଼ିଛି।ଭୟରେ ସେମାନଙ୍କ ଦେହ ଥରୁଥାଏ।ଭଗବାନଙ୍କ ଦୟାରୁ କାନ୍ଥ ବାହାର ପଟକୁ ପଡ଼ିଥିଲା।ଭିତରେ ପଡ଼ିଥିଲେ ପୁରା ପରିବାର ସ୍ୱାହା ହୋଇ ଯାଇଥାନ୍ତେ।ସେହି ରାତିରେ ଭୟଙ୍କର ବର୍ଷା,ବିଜୁଳି ଆଉ ଘଡଘଡିର ତାଣ୍ଡବ ଲାଗି ରହିଥାଏ।ଭଙ୍ଗା ଘର ଭିତରେ ଜାକିଜୁକି ହୋଇ ବସି ରହିଥିବା ପରିବାର ଭୟରେ ଥରୁ ଥାଆନ୍ତି।ଲତ୍ରା ପରିବାର ସହିତ ସେହି ଭଙ୍ଗା ଘରୁ ବହୁ ସତର୍କତାର ସହିତ ବାରଣ୍ଡାକୁ ଆସୁ ଆସୁ ଆଉ ଏକ କାନ୍ଥ ମଧ୍ୟ ବାହାରକୁ ଟଳି ପଡ଼ିଥିଲା।ବର୍ଷାରେ କେଉଁଠି ମୁଣ୍ଡ ଗୁଞ୍ଜିବେ ଭାବି ପଡୋଶୀ ଘର ବାରଣ୍ଡାରେ ସେହି ରାତି କାଟିଥିଲେ।ଲତ୍ରାର ଘର ଏବେ ଭାଙ୍ଗି ଯାଇଛି।୨୦୨୪ମସିହାରେ ତାକୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଛି।ତାହା ଏବେ ନିର୍ମାଣଧୀନ ଅବସ୍ଥାରେ ଅଛି।ଆଗକୁ ପୁଣି ପ୍ରବଳ ବର୍ଷାର ସୂଚନା ପାଣିପାଗ ବିଭାଗ ତରଫରୁ ସତର୍କ କରାଇ ଦିଆଯାଇଛି।ପ୍ରଶାସନ ତରଫରୁ ଅନ୍ତତପକ୍ଷେ ଏହି ଆଦିବାସୀ ପରିବାରକୁ ଦୁଇଖଣ୍ଡ ପଲିଥିନ ମିଳିଥିଲେ ସେମାନେ ଏହାକୁ ଘରର ଅସ୍ଥାୟୀ କାନ୍ଥ ଭାବେ ବ୍ୟବହାର କରି ବର୍ଷା ଦାଉରୁ ନିଜକୁ ସୁରକ୍ଷିତ ରଖି ପାରାନ୍ତେ।ସେମାନଙ୍କ କହିବା କଥା ଘର ମୁକୁଳା ରହିଲେ ସାପ ପସି ଯିବାର ଭୟ ବେଶୀ ରହିଛି।ଏଣୁ ଆଗକୁ ଆସୁଥିବା ପ୍ରବଳ ବର୍ଷାକୁ ନେଇ ସେମାନେ ବହୁତ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଘର ଛାଡ଼ି ଅନ୍ୟ କୁଆଡେ ଯିବା ସମ୍ଭବ ନୁହେଁ।କାରଣ ଘର ମଧ୍ୟରେ ଅନେକ ଘର ଚଳନି ସାମଗ୍ରୀ,ଆସବା ପତ୍ର ଓ ଖାଇବା ସାମଗ୍ରୀ ସବୁ ରହିଛି।ଏ ବିଷୟ ଜାଣିବା ପରେ ଆଗୁଲ ସମିତି ସଭ୍ୟ ସୁବାସ ପ୍ରାସ୍କା ସେମାନଙ୍କ ସହିତ ଦେଖାକରି ଅସୁବିଧା ବିଷୟ ଶୁଣିଥିଲେ,ଏବଂ ସହାୟତା ପାଇଁ ବ୍ଲକ୍ ଓ ପଞ୍ଚାୟତ ପ୍ରଶାସନକୁ ଅବଗତ କରାଇବେ ବୋଲି କହିଥିଲେ। ଏଣୁ ପ୍ରଶାସନ ତରଫରୁ ଏହି ଆଦିବାସୀ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ବିନମ୍ର ନିବେଦନ କରିଛନ୍ତି।