ଫେରାର ଅଭିଯୁକ୍ତଙ୍କୁ ଦିଗପହଣ୍ଡିରେ ମାଡ଼ି ବସିଲା ମୁମ୍ବାଇ ପୁଲିସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ ମିଲ ନିକଟରେ ମୁମ୍ବାଇ ସମତାନଗର ଥାନା ଏସ.ଆଇ ଅତୁଲ ଲାଞ୍ଜେ,କନେଷ୍ଟବଳ ମହେଶ ଧୋବୀ,ବାଲା ସାହେବ ବେଣ୍ଡାଟେ ସ୍ଥାନୀୟ ପୁଲିସ ସହାୟତାରେ ଗୁରୁବାର ରାତି ପ୍ରାୟ ୧୧ ଟାରେ ଅତର୍କିତ ଚଢ଼ାଉ କରି ଜଣେ ଫେରାର ଅଭିଯୁକ୍ତଙ୍କୁ ମାଡିବସି ଗିରଫ କରିଛନ୍ତି। ସେ ହେଲେ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଳାସପୁର ଗ୍ରାମର ବିଜୟ ଗୌଡ଼(୨୬)।ଶୁକ୍ରବାର ମୁମ୍ବାଇ ସମତାନଗର ଥାନା ଏସ.ଆଇ ଅଭିଯୁକ୍ତଙ୍କୁ ଦିଗପହଣ୍ଡି କୋର୍ଟ ରେ ହାଜର କରାଇ ୪ ଦିନ ପାଇଁ ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ଆବେଦନ କରିଥିଲେ।ମାଜିଷ୍ଟ୍ରେଟ ମାମଲା ର ଗୁରୁତ୍ଵ ଦୃଷ୍ଟିରୁ ତାଙ୍କୁ ରିମାଣ୍ଡ ପାଇଁ ଅନୁମତି ଦେବାପରେ ପୁଲିସ ଟିମ୍ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ମୁମ୍ବାଇ ଅଭିମୁଖେ ଫେରିଥିବା ଜଣାପଡ଼ିଛି। ମୁମ୍ବାଇ ସମତାନଗର ଥାନା ଅଧିନ ପଶ୍ଚିମ କାନ୍ଦିଭାଲି ର ସାଇୟା କନଷ୍ଟକ୍ସନ ଶ୍ରମିକ କ୍ୟାମ୍ପ ରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥାଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଗତ ଜାନୁଆରୀ ୧ ତାରିଖ ବିଳମ୍ବିତ ରାତିରେ ଶ୍ରମିକ କ୍ୟାମ୍ପ ରେ ମହିଳା ଶ୍ରମିକ ସୁମନ ସମ୍ପାମୋହନ କୁଟି,ମହମ୍ମଦ ରିଜୱାନ ଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା।ଅନ୍ୟ ଶ୍ରମିକ ମାନେ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡ଼. ବାବା ସାହେବ ଆମ୍ବେଦକର ଶତାବ୍ଦୀ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ଏନେଇ ସୁମନ ସମ୍ପାମୋହନ କୁଟି ଥାନାରେ ଏତଲା ଦେବା ପରେ ଥାନା ମାମଲା ନଂ.୧୨/୨୬ ଭାରତୀୟ ନ୍ୟାୟ ସଂହିତା ଧାରା – ୧୧୮(୨)/୧୧୫(୨)/୩୫୧(୨)/୩୫୨/୩(୫) ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା।ଫେରାର ଅଭିଯୁକ୍ତଙ୍କ ମୋବାଇଲ ସିଡିଆର ଯାଞ୍ଚ ପରେ ଲୋକେସନ ଦିଗପହଣ୍ଡି ଅଞ୍ଚଳ ଦେଖାଇଥିଲା। ମୁମ୍ବାଇ ପୁଲିସ ଡେପୁଟି କମିଶନର ଙ୍କ ନିର୍ଦ୍ଦେଶକ୍ରମେ ଥାନା ଏସ.ଆଇ ସଦଳବଳେ ଦିଗପହଣ୍ଡି ରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି।


