ସୁଧ ଟଙ୍କାକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଇ . ମୁନା ଦୋରାଙ୍କ ଘରେ ହୋଇଥିବା ଡିନାମାଇଟ ବିସ୍ଫୋରଣ ଘଟଣାରେ ପୁଲିସ ଅଭିଯୁକ୍ତ ଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ହେଲେ ଗ୍ରାମର ଏସ୍. କୁନା ଦୋରା (୨୮) । ସୋମବାର ରାତିରେ ମୁନାଙ୍କ ପରିବାର ଲୋକେ ଖାଇସାରି ଶୋଇଥିବା ସମୟରେ ରାତି ପାୟ ୧ ଘଣ୍ଟା ସମୟରେ ଘର ଭିତରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଯାହାଫଳରେ ମୁନାଙ୍କ ପରିବାର ନିଦରୁ ଉଠି ଭୟଭୀତ ହେବା ସହ ଘରୁ ବାହାରକୁ ଦୈାଡି ଆସିଥିଲେ । ଏହି ସମୟରେ ଘରକୁ ଲାଗିଥିବା ବାହାର କାନ୍ଥରେ ଏକ ବିସ୍ପୋରକ ପୋଡ଼ା ଡିଟୋନେଟର ଓହଳି ରହିଥିଲା। ପ୍ରାୟ ୨୦ ବର୍ଷ ପୂର୍ବେ ଅଭିଯୋଗକାରୀ ମୁନା ସମ୍ପର୍କୀୟ ଭାଇ କୁନାଙ୍କ ଠାରୁ ୩ ଲକ୍ଷ ଟଙ୍କା ଧାର ଆଣିବା ସହ ପରବର୍ତ୍ତୀ ସମୟରେ ସମସ୍ତ ଟଙ୍କା ପରିଶୋଧ କରିଥିଲା । କିନ୍ତୁ ଏହି ବାବଦରେ କୈାଣସି ସୁଧ ପରିଶୋଧ ନ କରିବାରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଏପରିକି ଘଟଣା ଘଟିବାର ପୂର୍ବଦିନ ସେମାନଙ୍କ ସହ ପାଟିତୁଣ୍ଡ ହେବା ସହ ଅଭିଯୁକ୍ତ କୁନା ତାଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଏତଲା ରେ ଉଲ୍ଲେଖ ରହିଛି। ହୋଇଛି । ପୁଲିସ ଗ୍ରାମରେ ପହଞ୍ଚି ବିସ୍ପୋରଣରେ ବ୍ୟବହୃତ ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ମଙ୍ଗଳବାର ଦିନ ମୁନା ଥାନାରେ ଏତଲା ଦେଇଥିଲେ । ପୁଲିସ ଥାନା କେସ୍ ନଂ ୨୩୧/୨୫ ଅନୁଯାୟୀ ବୁଧବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ଖାରଜ ହେବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।