କଟକ ସହରର କଦମ ରସୁଲ ଏବଂ ଇଦଘା ମସଜିଦରେ ମୁସଲିମ ସମ୍ପ୍ରଦାୟର ଭାଇ-ଭଉଣୀମାନେ ଧୂମଧାମରେ ପାଳନ କଲେ ଇଦ୍-ଉଲ୍-ଫିତର୍

କଟକ, (ଓ୍ବାଇଏନଏସ): କଟକରେ ଧୂମଧାମରେ ପବିତ୍ର ଇଦ୍-ଉଲ୍-ଫିତର୍ ପାଳନ ହୋଇଛି । ଏହି ଅବସରରେ କଟକର ସମସ୍ତ ମସଜିଦରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବିଶେଷକରି ସହରର କଦମ ରସୁଲ ଏବଂ ଇଦଘା ମସଜିଦରେ ନମାଜ ପାଠ ପାଇଁ ମୁସଲିମ ସମ୍ପ୍ରଦାୟର ଭାଇ-ଭଉଣୀମାନଙ୍କ ପ୍ରବଳ ଭିଡ ହୋଇଥିଲା । ସକାଳ ୭ରୁ ହିଁ ଦରଘାବଜାରସ୍ଥିତ ଛୋଟି ମସ୍‌ଜିଦରେ ପ୍ରଥମ ସାମୂହିକ ନମାଜ ପାଠ କରାଯାଇଥିଲା । ପରେ ସକାଳ ସାଢେ ୧୦ଟାରେ ଇଦଘା ପଡ଼ିଆରେ ହଜାର ହଜାର ମୁସଲିମ ଭାଇ-ଭଉଣୀମାନେ ଏକତ୍ରିତ ହୋଇ ସମୂହ ନମାଜ ପାଠ କରିଛନ୍ତି । ଦୀର୍ଘ ୨୯ ଦିନ ଧରି ଉପବାସ (ରୋଜା) ରଖିଥିବା ମୁସ୍‌ଲିମ୍ ଭାଇ-ଭଉଣୀ ଏହି ପର୍ବକୁ ଆଜି ବେଶ ଧୁମଧାମରେ ପାଳନ କରିଛନ୍ତି । ସମୂହ ନମାଜ ପାଠ ପରେ ସାମୂହିକ ଭୋଜନ ସହ ପରସ୍ପରକୁ ଇଦ୍ ଶୁଭେଚ୍ଛା ଆଦାନପ୍ରଦାନ କରିଛନ୍ତି । ମସଜିଦ ନିକଟରେ ସବୁ ଧର୍ମର ଲୋକ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିଛନ୍ତି । ଯାହାକି ଭାଇଚାରାର ଏକ ଦିଗଦର୍ଶନ ଦେଇଛି। ମେୟର ସୁବାସ ସିଂ କହିଛନ୍ତି, “ଆମେ ହିନ୍ଦୁ ହେଲେ ମଧ୍ୟ ଇଦ୍ ପର୍ବରେ ସାମିଲ ହୋଇଥାଉ । ଏହି ପର୍ବ ପାଳନ କରି ଆମକୁ ବହୁତ ଖୁସି ଲାଗିଥାଏ । ଭାଇଚାର ସହର କଟକରେ ସମସ୍ତ ପର୍ବରେ ସମସ୍ତ ସମ୍ପ୍ରଦାୟର ଲୋକମାନେ ମିଶି ପାଳନ କରିଥାନ୍ତି । ଏହି କ୍ରମରେ କଟକ ସବୁବେଳେ ବିଶ୍ୱ ପାଇଁ ଉଦାହରଣ ସାଜିଥାଏ ।” କଦମ୍‌ ରସୁଲ୍ ପରିଚାଳନା କମିଟି ସଭାପତି ରମ୍‌ଜାନ୍ ଖାନ୍ କହିଛନ୍ତି, “ପ୍ରତ୍ୟକ ବର୍ଷ ଏହି ପର୍ବରେ ଇଦଘା ପଡିଆରେ ୭ ହଜାରରୁ ଅଧିକ ଲୋକ ନମାଜ ପାଠ କରିଥାନ୍ତି । ଇଦଘାରେ ନମାଜ ପାଠ କଲେ, ଅଧିକ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଥିବାରୁ ଏଠାରେ ସର୍ବାଧିକ ଲୋକ ଏକତ୍ରିକ ହୋଇଥାଆନ୍ତି । ଭାଇଚାରାର ସହର କଟକରେ କେବଳ ମୁସଲିମ୍ ନୁହନ୍ତି, ସମୂହ ନମାଜ କାର୍ଯ୍ୟକ୍ରମରେ ସହରର ଲୋକପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଅଂଶଗ୍ରହଣ କରିଥାନ୍ତି । ଏହି ପରମ୍ପରା ଏବେ କାର ନୁହେଁ ବରଂ ଏହା ବି ବହୁତ ପୁରୁଣା ।” କଟକରେ ୪୨ରୁ ଅଧିକ ମସ୍‌ଜିଦ୍ ରହିଛି । ସେଥି ମଧ୍ୟରୁ କଟକ ଦରଘାବଜାରସ୍ଥିତ କଦମ୍‌ରସୁଲ୍‌ରେ ସକାଳ ସାଢ଼େ ୮ ଓ ସକାଳ ୯ଟାରେ ଦୁଇଥର ନମାଜ ପାଠ କରାଯାଇଥିଲା । ସେହିପରି ଇଦଘା ମସଜିଦରେ ପୂର୍ବାହ୍ନ ସାଢ଼େ ୧୦ଟାରେ ନମାଜ ପାଠ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ