ଏନଏସି ସଫେଇ କର୍ମଚାରୀଙ୍କୁ ଆକ୍ରମଣ: ତିନି ଗିରଫ

ପୋଲସରା , (ଅନୀଲ କୁମାର ମହାରଣା) : ପୋଲସରାର ସଫେଇ କର୍ମଚାରୀ କିରଣ ନାୟକଙ୍କୁ ଆକ୍ରମଣ ମାମଲାରେ ପୋଲସରା ପୋଲିସ ଜୁଲାଇ ୧୨ ତାରିଖରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜୁଲାଇ ୧୩ ତାରିଖ ଦିନ ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗୁରୁବାର ଦିନ ସକାଳେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀ ତଥା ଓଇରାଣି ବନ୍ଧ ବଡ଼ ହରିଜନ ସାହିର କିରଣ ନାୟକ ଲଙ୍ଗଳେଶ୍ବର ପାର୍କ ନିକଟରେ ଝାଡୁ କରିବା ସମୟରେ ତିନି ଜଣ ଯୁବକ ଗୋଟିଏ ସ୍କୁଟିରେ ଆସି ତାଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଆହତ କିରଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିରଣ ଗୁରୁତର ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିରଣ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ କିରଣଙ୍କ ମାଆ ଜୟନ୍ତୀ ନାୟକଙ୍କ ଏତଲାକୁ ଭିତ୍ତି କରି ପୋଲସରା ପୋଲିସ କେସ ନଂ ୪୯୨/୨୫ ପ୍ରକାରେ ଏକ ମାମଲା ରୁଜ୍ଜୁ କରିଥିଲେ। ଜୁଲାଇ ୧୨ ତାରିଖ ଦିନ ଓଇରାଣି ବନ୍ଧ ବଡ଼ ହରିଜନ ସାହିର ସନ୍ତୋଷ ନାୟକ ଓ ତାଙ୍କ ପୁଅ ଶିବ ନାୟକ ଙ୍କୁ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଥିଲେ। ଜୁଲାଇ ୧୩ ତାରିଖ ଦିନ ଏହି କେଶ ମାମଲାରେ ବ୍ରହ୍ମପୁର ମହାନଗରର ଖୋଡାସିଙ୍ଗ ର ଆଲୋକ ଘଡେଇ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମୋଟ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ