ହାଟଡିହି (ଓ୍ବାଇଏନଏସ): ରାଜ୍ୟରେ ଆଉ ଚାଳ ଘର ରହିବ ନାହିଁ। ସମସ୍ତଙ୍କ ମୁଣ୍ଡ ଉପରେ ଛାତ ରହିବ। ସରକାର ଗରିବ ଆର୍ଥିକ ଅନଗ୍ରସର ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତିବର୍ଷ ହଜାର ହଜାର ଘର ଯୋଗାଇ ଦେଉଛନ୍ତି। ଏପରିକି ଗତ ବିଜେଡି ସରକାର ସମୟରେ ଲକ୍ଷାଧିକ ଆବାସ ଯୋଜନା ଘର ବଣ୍ଟନ ହୋଇ ନପାରି ଫେରି ଯାଇଥିଲା। ପ୍ରତିବର୍ଷ ହାଟଡିହି ବ୍ଲକକୁ ହଜାର ହଜାର ଆବାସ ଯୋଜନା ଘର ଆସୁଥିଲେ ବି ଅନେକ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା କୁଡ଼ିଆରେ ବସବାସ କରୁଥିବା ଦେଖିବାକୁ ମିଳିଛି। ହାଟଡିହି ବ୍ଲକ ବଞ୍ଚୋ ନାଇକ ସାହିରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ସାହିରେ ୩୦ରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ ୨୦ ରୁ ଉର୍ଦ୍ଧ୍ଵ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ନାନା ଦୁଃଖ କଷ୍ଟରେ କ୍କାଳାତିପାତ କରୁଛନ୍ତି। କିଏ ଘର ଉପରେ ପାଲ ଟାଙ୍ଗିଛି ତ ଆଉ କିଏ ପିନ୍ଧାଶାଢ଼ୀ ଘେରାଉ କରିଛି। ସ୍ଵ ଚକ୍ଷୁରେ ନଦେଖିଲେ ଏମାନଙ୍କ ବିକଳ ଚିତ୍ର କେହି ବିଶ୍ୱାସ କରିବେ ନାହିଁ। ଗାଁ ରେ ମାତ୍ର ଗୋଟିଏ ଦୁଇଟି ପକ୍କା ଘର ଛାଡିଦେଲେ ସମସ୍ତେ ଏହିପରି ଭଙ୍ଗା କୁଡ଼ିଆରେ ବାସ କରୁଥିବା ଦେଖିବାକୁ ମିଳିଛି। ଗ୍ରାମର ପଦ୍ମାବତୀ ନାଇକ, ରଞ୍ଜିତା ନାଇକ,ଗଜେନ୍ଦ୍ର ନାଇକ, ସଦାନନ୍ଦ ନାଇକ, ମାଗୁଣି ନାଇକ, ଦିଲ୍ଲୀପ ନାଇକ, ପଦ୍ମଲୋଚନ ନାଇକ, ଅଭିମନ୍ୟୁ ନାଇକ, ବିକ୍ରମ ନାଇକ, ସମିର ନାଇକ, ଦେବେନ୍ଦ୍ର ନାଇକ, ନବୀନା ନାଇକ, ଲଷ୍ମୀଧର ନାଇକ, ଶୁଭେନ୍ଦୁ ନାଇକ, ବାସନ୍ତୀ ନାଇକଙ୍କ ସମେତ ଅନେକ ପରିବାର ଭଙ୍ଗା କୁଡ଼ିଆରେ ବାସ କରୁଥିବା ବେଳେ ସେମାନଙ୍କୁ ଆବାସ ଯୋଜନାରେ ଘର ମିକୁନି ବୋଲି ଅଭିଯୋଗ କରିଛନ୍ତି। ଅନେକ ଥର ଆବେଦନ କରିଥିଲେ ବି ଆମକୁ ସାମିଲ କରାଯାଉନି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ଗ୍ରାମର କିଛି ବ୍ୟକ୍ତିଙ୍କୁ ଆବାସ ଯୋଜନା ଘର ଦିଆ ଯାଇଥିଲେ ବି ସେମାନେ ପ୍ରଥମ କିସ୍ତି ପାଇବା ପରେ ଘର ଆରମ୍ଭ କରି ନଥିବା ବ୍ଲକ କର୍ତ୍ତୁପକ୍ଷ କହିଛନ୍ତି। କିପରି ସମସ୍ତ ପରିବାର ଘର ପାଇବେ ସେନେଇ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ କହିଛନ୍ତି।