ନଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ନ ହୋଇ ପୋର୍ଟାଲରେ ତଥ୍ୟ ପ୍ରଦାନ ପ୍ରସଙ୍ଗ: ୨୨ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପଂଚାୟତର ନଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରୋଷେଇ ନ ହୋଇ ପ୍ରଧାନମନ୍ତ୍ରୀ ପୋଷଣ ପୋର୍ଟାଲରେ ତଥ୍ୟ ପ୍ରଦାନ କରିବାକୁ ନେଇ ୨୨ଦିନ ବିତିଯାଇଛୀ। ଏନେଇ ବିଭାଗ କେବଳ କାରଣ ଦର୍ଶାଅ ନୋଟିସ ପ୍ରଦାନ କରି ନୀରବ ରହିଛି। ଏହି ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ତଥା ସେପ୍ଟେମ୍ବର ୧୯ ତାରିଖ ୧ଟା ୩୫ ସୁଦ୍ଧା ପ୍ରଧାନମନ୍ତ୍ରୀ ପୋଷଣ ପୋର୍ଟାଲରେ ମଧ୍ୟାହ୍ନ ଭୋଜନର ତଥ୍ୟ ପ୍ରଦାନ କରାଯାଇ ନଥିବା ବେଳେ ଶନିବାର ତଥା ସେପ୍ଟେମ୍ବର ୨୦ ତାରିଖ ୧୦ ଟା ସୁଦ୍ଧା ମଧ୍ୟ ଏହି ତଥ୍ୟ ପ୍ରଦାନ କରାଯାଇ ନଥିବା ଜଣାଯାଇଛି। ଛାତ୍ରଛାତ୍ରୀଙ୍କ ପ୍ରକୃତ ଉପସ୍ଥାନ ଜଣାପଡିବା ଭୟରେ ମଧ୍ୟାହ୍ନ ଭୋଜନର ତଥ୍ୟ ବିଳମ୍ବରେ ପ୍ରଦାନ କରାଯାଉଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ତଥ୍ୟ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୧୧ଟା ୩୦ ମଧ୍ୟରେ ଓ ଶନିବାର ୯ଟା ୩୦ମଧ୍ୟରେ ପ୍ରଦାନ କରାଯିବାର ନିୟମ ରହିଛି। ମଧ୍ୟାହ୍ନଭୋଜନର ତଦାରଖ ଦାୟିତ୍ୱରେ କ୍ଲଷ୍ଟରସ୍ତରରେ ସିଆରସିସି ରହିଥିବା ବେଳେ ବ୍ଲକସ୍ତରରେ ବ୍ଲକ ଶିକ୍ଷାଧିକାରୀ ରହିଛନ୍ତି। ହେଲେ ମଧ୍ୟାହ୍ନଭୋଜନର ତଥ୍ୟ ଠିକ୍ ଭାବେ ତଦାରଖ କରାଯାଉ ନଥିବାରୁ ବିଦ୍ୟାଳୟରେ ଏହି ଦାୟିତ୍ୱରେ ରହିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମନଇଛା ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ପ୍ରଧାନମନ୍ତ୍ରୀ ପୋଷଣ ପୋର୍ଟାଲରୁ ଜଣାପଡିଛି। ସୂଚନା ମୁତବାକ, ନାଉଗାଁ ବ୍ଲକ୍ରେ ୭୭ବିଦ୍ୟାଳୟ ରହିଥିବା ବେଳେ ଏଥିରେ ୪୫୭୭ଜଣ ଛାତ୍ରଛାତ୍ରୀ ନାମ ପଂଜୀକରଣ କରିଛନ୍ତି। ଶୁକ୍ରବାର ଦିନ ୧ଟା ୩୫ ସୁଦ୍ଧା ମଧ୍ୟାହ୍ନଭୋଜନ ପୋର୍ଟାଲ ତଥ୍ୟ ଅନୁସାରେ ୪୬ଟି ବିଦ୍ୟାଳୟରୁ ୧୯୮୨ଜଣଙ୍କ ନାମ ମଧ୍ୟାହ୍ନଭୋଜନ ଖାଇବା ପାଇଁ ରିପୋର୍ଟ କରାଯାଇଥିବା ବେଳେ ୩୧ଟି ବିଦ୍ୟାଳୟର ୨୫୯୫ଜଣ ଛାତ୍ରଛାତ୍ରୀଙ୍କର ରିପୋର୍ଟ କରାଯାଇ ନଥିଲା। ସେହିପରି ଶନିବାର ଦିନ ୧୦ଟା ସୁଦ୍ଧା ମଧ୍ୟାହ୍ନଭୋଜନ ପୋର୍ଟାଲ ତଥ୍ୟ ଅନୁସାରେ ୨୪ଟି ବିଦ୍ୟାଳୟରୁ ୯୫୨ଜଣଙ୍କ ନାମ ମଧ୍ୟାହ୍ନଭୋଜନ ଖାଇବା ପାଇଁ ରିପୋର୍ଟ କରାଯାଇଥିବା ବେଳେ ୫୩ଟି ବିଦ୍ୟାଳୟର ୩୬୨୫ ଜଣ ଛାତ୍ରଛାତ୍ରୀଙ୍କର ରିପୋର୍ଟ କରାଯାଇ ନଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ନଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଦିନ ୧ଟା ୩୫ ଓ ଶନିବାର ୯ଟା ୩୦ ସୁଦ୍ଧା ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କ ଦ୍ୱାରା ରିପୋର୍ଟ ପ୍ରଦାନ କରାଯାଇ ନଥିବା ପୋର୍ଟାଲରୁ ଜଣାଯାଇଛି। କେବଳ ନଳାଙ୍ଗ ବିଦ୍ୟାଳୟ ତଥ୍ୟ ଦେବାରେ ବିଳମ୍ବ କରୁଛନ୍ତି ତାହା ନୁହେଁ ବହୁ ବିଦ୍ୟାଳୟ ମଧ୍ୟାାହ୍ନ ଭୋଜନ ହଡପ କରିବା ଉଦ୍ଦେଶ୍ୟରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ପୋଷଣ ପୋର୍ଟାଲରେ ରିପୋର୍ଟ ପ୍ରଦାନ କରୁ ନଥିବା ଅଭିଯୋଗ ହେଉଛି। ଏହି ଦୁଇ ଦିନର ତଥ୍ୟକୁ ତଦନ୍ତ କରାଯାଇ ଆବଶ୍ୟକ ପଦେକ୍ଷପ ଗ୍ରହଣ କରାଗଳେ ପ୍ରକୃତ ଘଟଣା ପଦାକୁ ଆସିବ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ଏହି ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ଜଣ ପିଲା ପାଠ ପଢୁଛନ୍ତି। ଅଗଷ୍ଠ ୩୦ ଶନିବାର ୧୧ଟା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ମାତ୍ର ୩ ଜଣ ପିଲା ଉପସ୍ଥିତ ଥିଲେ। ମାତ୍ର ପୋଷଣ ପୋର୍ଟାଲରେ ୩୨ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିବା ତଥ୍ୟ ପ୍ରଦାନ କରାଯାଇଥିଲା। ସେହିପରି ପିଲା ଶ୍ରେଣୀ ଗୃହରେ ବସିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ଚୌକି ଉପରେ ବସି ଶୋଇ ରହିଥିବାର ଦେଖିବାକୁ ମିଳିଥିଲା। ଏସଂର୍ପକରେ ବ୍ଲକ ଶିକ୍ଷାଧିକାରୀ ଉମେଶ ରାଉତଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।


