ସାଇବର ଠକେଇ ଅଭିଯୋଗରେ ଜଣକୁ ଗିରଫ କଲା ନନ୍ଦିପଦା ପୋଲିସ
ହାଟଡିହି (ଓ୍ବାଇଏନଏସ): ସାଇବର ଠକେଇ ଅଭିଯୋଗରେ ନନ୍ଦିପଦା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁଯାଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଖଡ଼ିଶିଙ୍ଗା ଗ୍ରାମର ଧୃତି ସୁନ୍ଦର ସ୍ବାଇଁ ନାମକ ଜଣେ ବ୍ୟକ୍ତି ହାଟଡିହି ଗ୍ରାମର ସତ୍ୟନାରାୟଣ ମହାନ୍ତିଙ୍କ ନିକଟକୁ ଆସି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ତାଙ୍କ ବ୍ୟାଙ୍କ ଖାତା ନମ୍ୱର ସହ ତାଙ୍କ ପରିବାର ସଭ୍ୟଙ୍କ ଖାତା ନମ୍ୱର ଦେବାକୁ କହିଥିଲେ । ତାଙ୍କ କଥାକୁ ବିଶ୍ବାସ କରି ସତ୍ୟନାରାୟଣ ନିଜ ବ୍ୟାଙ୍କ ଖାତା ସହ ତାଙ୍କ ମାଆ, ଯେଯମା ଓ ଗୋଟେ ସାଙ୍ଗଙ୍କ ଖାତା ନମ୍ବର ମଧ୍ୟ ଦେଇଥିଲେ । ସେହି ବ୍ୟାଙ୍କ ଖାତା କୁ ଆଧାର କରି ଫେବୃଆରୀ ୨୦୨୪ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଧୃତି ସୁନ୍ଦର ସ୍ବାଇଁ ଉକ୍ତ ସମସ୍ତ ଖାତାରେ ଅର୍ଥ ପ୍ରେରଣ କରୁଥିଲେ । ପରବର୍ତ୍ତୀ ସମୟରେ ସେମାନେ ଜାଣିଥିଲେ ଯେ ଧୃତି ସୁନ୍ଦର ସ୍ବାଇଁ ଯେଉଁ ଟଙ୍କା ପଠାଇଥିଲେ, ସେଗୁଡିକ ସାଇବର ଠକେଇ ମାଧ୍ୟମରେ ବେଆଇନ ଭାବେ ଅର୍ଜନ କରାଯାଇଥିଲା । ଏହା ଜାଣିବା ପରେ ସତ୍ୟନାରାୟଣ ଗତ ୬ ତାରିଖ ଦିନ ନନ୍ଦିପଦା ଥାନାରେ ଏନେଇ ଅଭିଯୋଗ କରିବା ପରେ ଜିଲ୍ଲା ଏସ.ପିଙ୍କ ନିର୍ଦେଶରେ ନନ୍ଦିପଦା ପୋଲିସ ଘଟଣାର ତଦନ୍ତ କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଖଡ଼ିଶିଙ୍ଗା ଗ୍ରାମର ଧୃତି ସୁନ୍ଦର ସ୍ବାଇଁଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ଅନେକ ବ୍ୟାଙ୍କ ଜମା ବହି, ମୋବାଇଲ ଆଦି ଜବଦ କରି ବା ସହିତ ଅଭିଯୁକ୍ତ ଧୃତିକୁ ଗିରଫ କରିଛି। ଅଭିଯୁକ୍ତକୁ ବିଏନଏସ ଧାରା ୩୧୮(୪) / ୩୩୬ (୩) /୩୪୦ (୨) ଓ ଆଇଟି ଆଇନର ଧାରା ୬୬( ସି) ୬୬( ଡି ଅନୁସାରେ ( ଯେଉଁଥିରେ ଠକେଇ, ପରିଚୟ ଦୁରୁପଯୋଗ, ସାଇବର ଅପରାଧ ) ଇତ୍ୟାଦି ଗୁରୁତର ଅପରାଧ ଜଡିତ ଥିବାରୁ ତାଙ୍କୁ ଗିରଫ କରାଯାଇ ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜିର କରାଯାଇଥିଲା ଓ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି ।ଏଥିରେ ଆଉ କାହା କାହାର ସମ୍ପୃକ୍ତି ଅଛି ସେନେଇ ପୋଲିସ ଖୋଳତାଡ଼ କରୁଥିବା ଆନନ୍ଦପୁର ଏସ୍ଡ଼ିପିଓ ପ୍ରଶାନ୍ତ ବେହେରା କହିଛନ୍ତି।


