ଜାତୀୟ ଧାନ କୌଶଳ ଶିଳ୍ପ ନବସୃଜନ ସମ୍ମିଳନୀ
କଟକ, (ଓ୍ବାଇଏନଏସ) : କଟକ ବିଦ୍ୟାଧରପୁର ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ଦ୍ବାରା ଆଜି ଜାତୀୟ ଧାନ କୌଶଳ ଶିଳ୍ପ ନବସୃଜନ ସମ୍ମିଳନୀ ସଫଳତାର ସହ ଆୟୋଜନ ହୋଇଯାଇଛି। ଯାହା ଧାନ ଗବେଷଣା ଏବଂ ଶିଳ୍ପ କ୍ଷେତ୍ରରେ ସହଯୋଗ ଓ ସମନ୍ଵୟକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିଥିଲା। ଏହି ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥ୍ ଭାବରେ ଯୋଗ ଦେଇଥିଲେ। ଭାରତୀୟ କୃଷି ଗବେଷଣା ପରିଷଦ ନୂଆଦିଲ୍ଲୀର ସହାୟକ ନିର୍ଦ୍ଦେଶକ ତଥା ବୌଦ୍ଧିକ ସମ୍ପତ୍ତି ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳନା ର ଡକ୍ଟର ନୀରୁ ଭୂଷଣ ଏବଂ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ କଟକର ନିର୍ଦ୍ଦେଶକ, ଡ଼ାଃ ଜି. ଏ. କେ. କୁମାର ଅଧ୍ୟକ୍ଷତା କରିଥିଲେ। ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ତାଙ୍କ ଭାଷଣରେ କୃଷକମାନଙ୍କ ପାଇଁ ନବସୃଜନକୁ ବ୍ୟବହାରିକ ସମାଧାନରେ ପରିଣତ କରିବା ପାଇଁ ଗବେଷଣା ପ୍ରତିଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ। ସେ ରାଜ୍ୟର କୃଷି ଅଭିବୃଦ୍ଧିରେ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ନିରନ୍ତର ସମର୍ଥନ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ସେ ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗୀମାନଙ୍କୁ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଏବଂ ଧାନ କ୍ଷେତ୍ରରେ ସ୍ଥାୟୀ, କୃଷକ-ଅନୁକୂଳ ବିକାଶ ଦିଗରେ କାର୍ଯ୍ୟ କରିବାକୁ କୃଷକ ମାନଙ୍କୁ ଉତ୍ସାହିତ କରିଥିଲେ। ତେବେ ଗବେଷଣା ଓ ଶିଳ୍ପ ମଧ୍ୟରେ ଥିବା ଦୂରତାକୁ କମାଇ ନବୀନତା, ବ୍ୟବସାୟିକୀ କରଣ ଓ ରଣନୈତିକ ସହଯୋଗକୁ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ଥିଲା। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକ, ଶିଳ୍ପ ନେତା, କୃଷି-ପ୍ରଯୁକ୍ତି ଉଦ୍ୟୋଗ, ଏଗ୍ରି-ଟେକ୍ କମ୍ପାନୀ, ଷ୍ଟାର୍ଟ-ଅପ୍, ନୀତି ନିର୍ଦ୍ଦେଶକ ଓ ବିକାଶ ସଂସ୍ଥାମାନେ ଅଂଶଗ୍ରହଣ କରିବା ସହ ୨୦୦ ରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।


