ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ଜାତୀୟ ସମ୍ମିଳନୀ ଅନୁଷ୍ଠିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ୍)ର ୨୪ ତମ ଜାତୀୟ ସମ୍ମିଳନୀ ତାମିଲନାଡୁର ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ (ଇସକଫ) ର ଜାତୀୟ ପରିଷଦ ଅଧ୍ୟକ୍ଷ ଭାନୁଦେବ ଦତ୍ତ ସଭାପତିତ୍ବ କରିଥିବା ବେଳେ ବିଶ୍ବ ଶାନ୍ତି ପରିଷଦର ସଭାପତି ପଲ୍ଲବ ସେନ୍ ଗୁପ୍ତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଆନ୍ତର୍ଜାତୀୟ ଶାନ୍ତି, ଭାରତର ସାର୍ବଭୌମତ୍ୱ ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ଉପରେ ସମ୍ମିଳନୀରେ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସେହିପରି ସମ୍ମିଳନୀ ଶେଷରେ ଚେନ୍ନାଇ ଘୋଷଣାନାମା ଗୃହୀତ କରାଯାଇ ଆନ୍ତର୍ଜାତୀୟ ସ୍ତରରେ ଅନ୍ୟ ଦେଶକୁ ଓ ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟ ମଧ୍ୟରେ ସାଂସ୍କୃତିକ ପ୍ରତିନିଧି ଦଳ ପ୍ରେରିତ କରାଯାଇ ସମ୍ପର୍କ ଏବଂ ସଂଗଠନ ସୁଦୃଢ଼ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଶେଷରେ ଇସକଫ୍ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇ ପଶ୍ଚିମବଙ୍ଗର ବିଶିଷ୍ଟ ଲେଖକ ଭାନୁଦେବ ଦତ୍ତଙ୍କୁ ଅଧ୍ୟକ୍ଷ ଏବଂ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ପଢିଆରି ଙ୍କୁ ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ କରାଯାଇଥିବା ବେଳେ ସୁପ୍ରିମକୋର୍ଟ ପୂର୍ବତନ ମୂଖ୍ୟ ବିଚାରପତି କେ.ଜି.ବାଲକ୍ରିଷ୍ଣାନ୍, ଓଡ଼ିଶାର ଜଷ୍ଟିସ ମନୋରଞ୍ଜନ ମହାନ୍ତିଙ୍କୁ ସଭାପତି ମଣ୍ଡଳୀ ସଦସ୍ୟ ଏବଂ ନବଗଠିତ ୮୧ ଜଣିଆ ଜାତୀୟ ପରିଷଦକୁ ଓଡ଼ିଶାର ଜାନକୀ ବଲ୍ଲଭ ମହାନ୍ତି, ବିଜୟ କୁମାର ମହାନ୍ତି, ସଦାନନ୍ଦ ସାହୁ, କିଶୋରୀ ଦାସ, ସଞ୍ଜୟ ପରିଜା, ବିଷ୍ଣୁ ମୁଦୁଲିଙ୍କ ସମେତ ଗଞ୍ଜାମ ଜିଲା ର ଆଇନଜୀବି ଗୋକୁଳ ଚନ୍ଦ୍ର ପଣ୍ଡା ଏବଂ ହରପ୍ରସାଦ ରଥଙ୍କୁ ନିର୍ବାଚିତ କରାଯାଇଥିବା ଜଣାପଡିଛି।


