ମା ରତ୍ନମାଳୀ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ହାଇସ୍କୁଲରେ ଶନିବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନଶିକ୍ଷକ ଚନ୍ଦ୍ରଶେଖର ରେଡିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର ଯୋଗଦେଇ ମହାନ୍ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କେଟରମଣ (ସି.ଭି.ରମଣ) ୧୯୨୮ ମସିହା ଫେବୃୟାରୀ ମାସ ୨୮ ତାରିଖରେ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ଆବିଷ୍କାର କରିଥିଲେ । ସେହି କୃତିତ୍ୱ ପାଇଁ ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ମର୍ଯ୍ୟାଦାଜନକ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ବୈଜ୍ଞାନିକ ମାନଙ୍କ ସମାଜ ପ୍ରତି ଅବଦାନକୁ କୃତଜ୍ଞତା ଜଣାଇବା ତଥା ବିଜ୍ଞାନ ଶିକ୍ଷାକୁ ଆଗେଇ ନେବା ଏହି ଦିବସର ଲକ୍ଷ୍ୟ ଓ ଆଭିମୁଖ୍ୟ ହୋଇଥିଲା ବେଳେ ଛାତ୍ରଛାତ୍ରୀମାନେ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ଗବେଷଣାତ୍ମକ ମନୋଭାବ ରଖିବାକୁ ପରାମର୍ଶ ଦେଇଥିଲେ । ମା ରତ୍ମମାଳୀ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ନବମ ଶ୍ରେଣୀର ବିଦ୍ୟାର୍ଥୀ ଶ୍ରାବଣୀ ମାହୁନ୍ତ, ପ୍ରତିଭା ଖଟେଇ, ଆଦିତ୍ୟ ପ୍ରଧାନ ଓ ଆଲିସା ପରିଡାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା । ମା ରତ୍ନମାଳୀ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


