ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଅଧୀନସ୍ଥ ଜାତୀୟ ସେବା ଯୋଜନା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ସହିତ ସମାଜସେବା କ୍ଷେତ୍ରରେ ନିୟୋଜିତ କରି ବ୍ୟକ୍ତିତ୍ୱ ଗଠନରେ ମାର୍ଗଦର୍ଶନ କରିବା ଲକ୍ଷ୍ୟ ନେଇ ଉଚ୍ଚଶିକ୍ଷା ବିଭାଗର ସହାୟତାରେ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ମୁନିଗାଡି ଗ୍ରାମ ପଞ୍ଚାୟତର କେଶରାପଲ୍ଲୀ ଗ୍ରାମ (ପୋଷ୍ୟଗ୍ରାମ)ରେ ଚାଲିଥିବା ସପ୍ତଦିବସୀୟ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଯାପିତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର ଅଧିକାରୀ ସିଲୁ ସେଠୀଙ୍କ ସଂଯୋଜନା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏହି ସ୍ୱତନ୍ତ୍ର ଶୀତକାଳୀନ ଶିବିରର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଆସିକା ବ୍ଳକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରାକେଶ୍ ରୋଶନ୍ ବେହେରା ଯୋଗଦେଇ କୃଷିକ୍ଷେତ୍ରରେ କ୍ୟାରିୟର୍ ଗଠନର ସୁଯୋଗ ସାଙ୍ଗକୁ ଉଦ୍ୟାନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବହୁବିଧ କାର୍ଯ୍ୟକ୍ରମ ଏବଂ ମାଟି ପରୀକ୍ଷା ଜୈବିକ କୃଷିକୁ ସର୍ବାଧିକ ଗୁରୁତ୍ୱ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ସ୍ଥିତ ସଂଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଅଧିକାରିଣୀ ଡଃ ତପସ୍ୱିନୀ ଗୌଡ, ଏନ୍ବିସି କଲେଜର ବରିଷ୍ଠ ଅଧ୍ୟାପକ ଉଦିତ୍ ନାରାୟଣ ଦାଶ, ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଅତିରିକ୍ତ ସଂଯୋଜିକା ଅଧ୍ୟାପିକା ସଙ୍ଗୀତା ପଟ୍ଟନାୟକ, ଅଧ୍ୟାପିକା ସୁଶ୍ରୀ ଯାଜ୍ଞସେନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ବ୍ୟକ୍ତିତ୍ୱ ଗଠନ କରି ସୁସ୍ଥ ସମାଜ ପ୍ରତିଷ୍ଠାରେ ବିଦ୍ୟାର୍ଥୀମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ମାର୍ଗଦର୍ଶନ କରିବା ସହ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀମାନେ ଉତ୍ତମ ଭବିଷ୍ୟତ ଗଠନର ଆଲୋକବର୍ତ୍ତିତା ବୋଲି ପ୍ରକାଶ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସପ୍ତ ଦିବସୀୟ ଶୀତକାଳୀନ ସ୍ୱତନ୍ତ୍ର ଶିବିରର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଅନନ୍ତ ମଲିକ, ଗୋବିନ୍ଦ ରାଉତ, ଶିବାନୀ ମହାନ୍ତି, କଲ୍ୟାଣୀ ସ୍ୱାଇଁ, ସୁନାଲୀ ବିଷୋୟୀ, ରୋହନ କୁମାର ରାଉତ ପ୍ରମୁଖ ନିଜ ନିଜକ ଅନୁଭୂତି ଉପରେ ଆଲୋକପାତ କରିଥିଲେ । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳର ଜାତୀୟ ସେବା ଯୋଜନା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଶୀତକାଳୀନ ସ୍ୱତନ୍ତ୍ର ଶିବିରରେ ସ୍ୱେଚ୍ଛାସେବୀ ଗୋବିନ୍ଦ ରାଉତ, ଅଙ୍କିତା ବିଷୋୟୀ, ସ୍ୱର୍ଣ୍ଣଲତା ଜେନା, ଶୃତୀ ଜେନା, ସୌମ୍ୟ ପ୍ରଧାନ, ଅନିତା ଭୂୟାଁ, ରୋହନ୍ ରାଉତ, ରାଜେଶ୍ ମଲିକ, ଅନନ୍ତ ମଲିକ, ସୋନାଲି ବିଷୋୟୀ, କମଳ ସେଠୀ, ଲିପ୍ସାରାଣୀ ପ୍ରଧାନ, ଶ୍ରାବଣୀ ଜେନା, କଲ୍ୟାଣୀ ସ୍ୱାଇଁ, ପୂଜା ସ୍ୱାଇଁ, କବିତା ସ୍ୱାଇଁ, ପ୍ରୀତିଜିତା ନାହାକ, ପୂଜା ପ୍ରଧାନ, ବିଜ୍ଞାନୀ ଜେନା, ସରିତା ଗୌଡ, ତୁଳସୀ ବିଷୋୟୀଙ୍କ ସମେତ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଶିବିରାର୍ଥୀ ସାମିଲ୍ ହୋଇ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ସଫେଇ ଠାରୁ ଆରମ୍ଭ କରି ବୃକ୍ଷରୋପଣ, ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଯୋଗ ଓ ପ୍ରାଣାୟମର ଆବଶ୍ୟକତା, ସଡକ ସୁରକ୍ଷା ଜୀବନ ରକ୍ଷା, ଶିଶୁକନ୍ୟା ଭୃଣ ହତ୍ୟାକୁ ରୋକିବା, ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରାରୋପଣ କରିବା, ମାରାତ୍ମକ ଏଡ୍ସ ରୋଗର ଭୟାବହତା, ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମ ଭଳି ବହୁ ସଚେତନତା ମୂଳକ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଥିଲା । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ପରାମର୍ଶ ଓ ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ସିଲୁ ସେଠୀ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଶୀତକାଳୀନ ସ୍ୱତନ୍ତ୍ର ଶିବିରରେ ଅଂଶଗ୍ରହଣ କରିଥିବା ଶିବିରାର୍ଥୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା ।


