ରାଷ୍ଟ୍ରୀୟ ଯୁବ ଦିବସ-୨୦୨୬ ପାଳିତ
ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ପୁରୁଷ ଓ ମହିଳା ବିଭାଗ) ପକ୍ଷରୁ ଜାତୀୟ ଯୁବ ଦିବସ -୨୬ ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୧୨/୦୧/୨୬ ତାରିଖ ଦିନ ପାଳିତ ହୋଇଯାଇଅଛି। ସକାଳ ୯ଟା ସମୟର ଶୋଭାଯାତ୍ରାକୁ ପ୍ରିନ୍ସପାଲ ଡକ୍ଟର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ସ୍ଵେଚ୍ଛାସେବୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ହାଇ ସ୍କୁଲ ଛକ, ବସ ଷ୍ଟାଣ୍ଡ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଫିସ୍ ଦେଇ ମହାବିଦ୍ୟାଳୟକୁ ଫେରିଥିଲା। ଘ ୧୨.୩୦ ରେ କଲେଜ ପରିସର ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୪୫ ବର୍ଷ ଧରି କଲେଜର ପ୍ରଗତି ପାଇଁ ଅବଦାନ ଥିବା ସମାଜସେବୀ ବନମାଳୀ ସାହୁ ଓ ପ୍ରିନ୍ସପାଲ ଡକ୍ଟର ନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଅର୍ଥନୀତି ବିଭାଗର ଅଧ୍ୟାପିକା ଡକ୍ଟର ମିନାକ୍ଷୀ ପାଣିଗ୍ରାହୀ ସଂଯୋଜନା କରିଥିଲେ। ପ୍ରିନ୍ସପାଲ ନିଜର ବକ୍ତବ୍ୟରେ ” ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପାଇଁ ଯୁବଶକ୍ତିଙ୍କ ଭୂମିକା ଏକାନ୍ତ ଅପରହାର୍ଯ୍ୟ” ବୋଲି କହିଥିଲେ। ପୂର୍ବତନ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର୍ କିଶୋର ଚନ୍ଦ୍ର ଜେନା, ଅନିଲ କୁମାର ଦାସ, ଡକ୍ଟର ବିରଞ୍ଚୀ ନାରାୟଣ ରଥ, ଏନସିସି ଅଫିସର ଲେଫନାଣ୍ଟ ବିନତା କୁମାରୀ ଦାସ, ଜାତୀୟ ସେବା ଯୋଜନା ମହିଳା ବିଭାଗ ପ୍ରୋଗ୍ରାମ ଅଫିସର୍ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଓ ପୁରୁଷ ବିଭାଗ ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ , ଯୁବ ରେଡକ୍ରସ୍ କାଉନସିଲର ସ୍ୱାଭିମାନ ସାହୁ, ଇଂରାଜୀ ବିଭାଗ ଅଧ୍ୟାପକ ଡ଼କ୍ଟର ହରିଶ ଚନ୍ଦ୍ର ପାଇକ, ସ୍ଵେଚ୍ଛାସେବୀ ସ୍ମୁତି ମହାରଣା ପ୍ରମୁଖ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ, ନୀତିଶିକ୍ଷା, ସାର୍ବଜନୀନଧର୍ମ, ବିଶ୍ଵଭାତୃତ୍ଵ, ବେଦାନ୍ତ ଦର୍ଶନ, ମାୟା, ପରମ ସତ୍ତା, କର୍ମଯୋଗ, ଜ୍ଞାନଯୋଗ ଓ କର୍ମଯୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରିନ୍ସପାଲ ଡକ୍ଟର ନାୟକ ସମାଜସେବୀ ବନମାଳୀ ସାହୁଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ସିଲଡ ପ୍ରଦାନ କରାଯାଇଥିଲା। ଶେଷରେ ଦର୍ଶନ ଶାସ୍ତ୍ର ଅଧ୍ୟାପକ ତଥା ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।


