ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର: ଡାକ୍ତରଙ୍କ ପ୍ରେସକ୍ରିପସନକୁ ନେଇ ଇଂଜେକସନ ଦେବାକୁ ରୋଗୀ ହଟହଟ୍ଟା
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଧିନରେ ଥିବା ୧୬ଟି ପଂଚାୟତର ୧ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଏହି କେନ୍ଦ୍ରରେ ରୋଗୀମାନଙ୍କୁ ସୁବିଧାରେ ଚିକିତ୍ସା ସେବା ଯୋଗାଇ ଦେବା ଚିକିତ୍ସାଳୟ ପରିସରରେ ବହିଃର୍ବିଭାଗ ରହିଥିବା ବେଳେ ମାଗଣାରେ ଔଷଧ ଯୋଗାଇ ଦେବା ପାଇଁ ନିରାମୟ କେନ୍ଦ୍ର ଖୋଲା ରହିଛି। କିନ୍ତୁ ଉକ୍ତ ଚିକିତ୍ସାଳୟରେ ଇଂଜେକସନ ଦେବା ପାଇଁ ରୋଗୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଭାବେ ଡାକ୍ତର ଚିଦ୍ଭୂଷଣ ପଣ୍ଡା ଦାୟୀତ୍ୱରେ ରହିଛନ୍ତି। ସେ ଦୀର୍ଘ ୨ ମାସ ହେବ ଉକ୍ତ ଦାୟିତ୍ୱରେ ରହିଥିବା ଜଣାଯାଇଛି। ପ୍ରତ୍ୟେହ ବିଭିନ୍ନ ପ୍ରକାରର ରୋଗୀ ଉକ୍ତ ଚିକିତ୍ସାଳୟକୁ ଆସୁଛନ୍ତି ଏବଂ ଡାକ୍ତରଙ୍କର ପରାମର୍ଶ ନେଉଛନ୍ତି। ଯେଉଁ ରୋଗୀଙ୍କର ଔଷଧ ନିରାମୟରେ ମିଳୁଛି ସେଠାରୁ ସେମାନେ ଔଷଧ ନେଉଛନ୍ତି। ଯେଉଁ ଔଷଧ ବା ଇଂଜେକସନ ନିରାମୟ କେନ୍ଦ୍ରରେ ଉପଲବ୍ଧ ହେଉନାହିଁ, ସେହି ରୋଗମାନେ ବାଧ୍ୟ ହୋଇ ବାହାରୁ ଇଂଜେକସନ କ୍ରୟ କରୁଛନ୍ତି। ବାହାରୁ ଆଣୁଥିବା ଇଂଜେକସନକୁ ଡାକ୍ତରଖାନାରେ ରହିଥିବା ନର୍ସ ଦେଉ ନଥିବା ଗୋଗୀମାନେ ପ୍ରକାଶ କରିଛନ୍ତି। ଏପରିିକି କେନ୍ଦ୍ରର ଅଧିକ୍ଷକଙ୍କର ବାହାର ଇଂଜେକସନ ନ ଦେବା ପାଇ ନିର୍ଦ୍ଦେଶ ରହିିବାରୁ ଆମେ ରୋଗୀଙ୍କୁ ଇଂଜେକସନ ଦେବୁ ନାହିଁ ବୋଲି ନର୍ସମାନେ ରୋକଠୋକ ମନା କରିଦେଉଛନ୍ତି। ରୋଗୀମାନେ ନିଜ ଦେହ ସୁସ୍ଥ ହେବା ପାଇଁ ବାଧ୍ୟ ହୋଇ କ୍ୱାକମାନଙ୍କ ସାହାର୍ଯ୍ୟରେ ଇଂଜେକସନ ଦେଉଥିବା ଦେଖିବାକୁ ମିଳୁଛି। ଏପରିକି ଅନେକ ରୋଗୀ ପ୍ରେସକ୍ରିପସନରେ ଇଂଜେକସନ ଲେଖା ହେଉଥିଲେ ମଧ୍ୟ ଦେଇପାରୁ ନାହାନ୍ତି। ପ୍ରତ୍ୟେହ ଇଂଜେକସନ ଦେବା ପାଇଁ ଡାକ୍ତରଖାନା ପରିବର୍ତେ କ୍ୱାକମାନଙ୍କ ନିକଟରେ ରୋଗୀଙ୍କ ଭିଡ ଜମୁଛି। ଏପରିକିି ଅନେକ ରୋଗୀ ଗାଁର ଥିବା କ୍ୱାକଙ୍କୁ ଟଙ୍କା ଦେଇ ଇଂଜେକସନ ଦେଉଥିବା ଜଣାଯାଇଛି। ଯଦି ନିରାମୟ କେନ୍ଦ୍ରରେ ଆବଶ୍ୟକୀୟ ଇଂଜେକସନ ନ ମିଳେ, ତେବେ ରୋଗୀ କିପରି ଇଂଜେକସନ ନେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଂକ୍ରାନ୍ତରେ ଡାକ୍ତର ପଣ୍ଡାଙ୍କୁ ପଚାରିବାରେ ରୋଗୀମାନଙ୍କର ସେବା ପାଇଁ ସରକାରଙ୍କ ତରଫରୁ ନିରାମୟ କେନ୍ଦ୍ର ଖୋଲାଯାଇଛି। ଯେଉଁ ଇଂଜେକସନ ନିରାମୟରେ ନ ମିଳୁଛି ସେଠାରେ ଅତ୍ୟାବଶ୍ୟକସ୍ଥଳେ ଚିକିତ୍ସା କରୁଥିବା ଡାକ୍ତରଙ୍କର ନିର୍ଦ୍ଦେଶକ୍ରମେ ଇଂଜେକସନ ଦିଆଯାଇପାରିବ। ଏବିଷୟରେ ମୁଁ ନର୍ସମାନଙ୍କ ସହ କଥା ହେବି ବୋଲି କହିଥିଲେ।