ନାଉଗାଁ-ଡାବର ରାସ୍ତା ପାଲଟିଛି ମରଣଯନ୍ତା : ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ୨ଜଣ ଆହତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଦହିପାଳ ଗ୍ରାମରୁ ବାଇକ୍ ଯୋଗେ ନାଉଗାଁ ବଜାର ଅଭିମୁଖେ ଯାଉଥିବା ସମୟରେ ବିଦ୍ୟୁତ ଖୁଂଟରେ ପିଟି ହୋଇ ଜଣେ ଗୁରୁତର ହୋଇଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାଯାଇଛି। ଗୁରୁତର ଆହତ ହୋଇଥିବା ମଙ୍ଗୁଳି ସାସମଲ ବୟସ ୮୨ବର୍ଷ ହୋଇଥିବା ବେଳେ ତାଙ୍କ ଝିଅ ତୃପ୍ତିରାଣୀ ସାହୁ ଓ ନାତି ଆୟୁଷ୍ମାନ ସାହୁ ଆହତ ହୋଇଛନ୍ତି। ଜେଜେ ଓ ମା’କୁ ବସାଇ ଆୟୁଷ୍ମାନ ନାଉଗାଁ ଅଭିମୁଖେ ଆସୁଥିଲେ। ନାଉଗାଁ-ଡାବର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଗୋଠଦା ନିକଟରେ ଅସାବଧାନତା ବଶତଃ ଏକ ବିଦ୍ୟୁତ ଖୁଂଟରେ ଗାଡିଟି ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ସମସ୍ତେ ଗାଡିରୁ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଯାଇ ଚିକିତ୍ସା କରାଯାଇଥିଲା। ମଙ୍ଗୁଳିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ଝିଅ ଓ ନାତିଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଉକ୍ତ ରାସ୍ତାଟି କିଛି ବର୍ଷ ହେବ ସଂପ୍ରସାରଣ ଓ ନିର୍ମାଣ କାର୍ଯ୍ୟଜାରି ରହିଥିବା ବେଳେ କାର୍ଯ୍ୟ ଶେଷର ଅବଧୀ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସରି ନାହିଁ। ଯେଉଁ କାର୍ଯ୍ୟ କରାଯାଇଥିଲା ତାହା ଅତି ନିମ୍ନମାନର ହୋଇଥିବାରୁ ରାସ୍ତାର ଅଧିକାଂଶ ସ୍ଥାନରୁ ଗୋଡି ଉଠିବା ସହିତ ଖାଲଖମାରେ ଭର୍ତି ହୋଇଗଲାଣି। ଫଳରେ ରାସ୍ତାରେ ଯାତାୟତ କରୁଥିବା ବାଇକ୍ ଆରୋହୀମାନେ ଭାରାସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକ ମତବ୍ୟକ୍ତ କରିଛନ୍ତି।


