ଶିକ୍ଷାବିତ୍ ଓ ରାଜନେତାଙ୍କୁ ହରାଇଲା ନାଉଗାଁ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ତିରୁଣା ପଂଚାୟତ ଅନ୍ତର୍ଗତ ଦହିପାଳ ଗ୍ରାମର ବର୍ଷିୟାନ ରାଜନେତା ତଥା ଶିକ୍ଷାବିତ୍ ବ୍ରହ୍ମାନନ୍ଦ ଜେନା(୯୦)ଙ୍କର ସୋମବାର ପରଲୋକ ଘଟିଛି। ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସେ ଦହିପାଳ ଗ୍ରାମର ବିଚିତ୍ରାନନ୍ଦ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଉଥିଲେ। ୧୯୮୪ ମସିହାରେ ତିରୁଣା ପଂଚାୟତରୁ ସରପଂଚ ଭାବେ ନିର୍ବାଚିତ ହୋଇ ପଂଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ପଂଚାୟତବାସୀଙ୍କ ବିଶ୍ୱାସଭାଜନ ହୋଇଥିଲେ। ପରେ ୧୯୯୨ରେ ପୁନର୍ବାର ତିରୁଣା ପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ଦହିପାଳ ଗ୍ରାମରେ ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ। ତାଙ୍କ ମର ଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ମଙ୍ଗଳବାର ନିଆଯାଇ ତିରୁଣା ପଂଚାୟତର ସମସ୍ତ ଗ୍ରାମ ପରିକ୍ରମା କରାଯିବା ପରେ ନାଉଗାଁ ବଜାରରେ ପରିକ୍ରମା କରାଯାଇଥିଲା। ଦଳଗତ ନିର୍ବିଶେଷରେ ପ୍ରତ୍ୟେକ ଛକରେ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଥିଲେ। ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ବ୍ଲକ କଂଗ୍ରେସ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ନାଉଗାଁ ବିଡିଓ ନିରଂଜନ ପରିଡା, ବରିଷ୍ଠ କିରାଣୀ ଜଗନ୍ନାଥ ମଲ୍ଲିକ, ବିଜେଡି ନେତା ନିରଞ୍ଜନ ବେହୁରା, ଛାତ୍ରନେତା ସୁନିଲ ମାଟିଆ, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ,ତିରୁଣା ପଂଚାୟତର ପୂର୍ବତନ ସରପଂଚ ବିମ୍ବାଧର ପରିଡା, ଯୁବନେତା ଚତୁର୍ଭୁଜ ପରିଡା, ଶାରଦା ପ୍ରସାଦ ସାସମଲ,ଉମେଶ ଚନ୍ଦ୍ର ସ୍ୱାଇଁ,ସମାଜସେବୀ ପ୍ରସନ୍ନଜିତ ସାହୁଙ୍କ ସମେତ ବହୁ ବ୍ୟକ୍ତି ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ପୂର୍ବତନ ବିଧାୟକ ଡା.ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ବିଜେଡି ନେତା ନଟବର ପ୍ରଧାନ, ସାମଜସେବୀ ଦୀପକ ବିଶ୍ୱାଳ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର ହୋଇଥିଲା । ପୁଅ ପ୍ରତିରଞ୍ଜନ ମୁଖାଗ୍ନୀ ଦେଇଥିଲେ।


