ସୁସ୍ଥ ହେଉଛନ୍ତି ନବୀନ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୋମବାର ଅପରାହ୍ନରେ ସମ୍ ଅଲ୍ଟିମେଟ ମେଡିକେୟାରର ଅବଜରଭେସନ୍ ରୁମ୍ରୁ କ୍ୟାବିନ୍କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ କଣ୍ଡିସନ୍ ଷ୍ଟେବୁଲ ରହିଥିବା ସମ୍ ପକ୍ଷରୁ ଏକ ମେଡିକାଲ୍ ବୁଲେଟିନ୍ରେ କୁହାଯାଇଛି । ଏହି ସମୟରେ ନବୀନ ପଟ୍ଟନାୟକଙ୍କର ପୁଣି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ମେଡିକାଲ ବେଡରୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, “ମୁଁ ଭଲ ଅଛି। ଡାକ୍ତରମାନେ ବହୁତ ଭଲ ଚିକିତ୍ସା କରୁଛନ୍ତି।” ସେ ସମସ୍ତଙ୍କର ଶୁଭକାମନା ପାଇଁ ଧନ୍ୟବାଦ ଜଣାଇବା ସହ ଦେଖା କରିବାକୁ ଚାହୁଁଥିବା ଲୋକଙ୍କୁ ନବୀନ ନିବାସକୁ ଆସିବାକୁ ଅନୁରୋଧ କରିଛନ୍ତି । କିନ୍ତୁ ନବୀନଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଛି । ମେଡ଼ିକାଲରେ ନବୀନଙ୍କୁ ଭେଟିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତୃବୃନ୍ଦ ଯାଇଥିବାବେଳେ ସେମାନଙ୍କୁ ଅନୁମତି ନ ମିଳିବାରୁ କ୍ଷୋଭ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଗତକାଲି ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱମାନେ ନବୀନ ଭେଟିବାକୁ ଯାଇ ନିରାଶ ହୋଇଛନ୍ତି । ଗତକାଲି ସରକାରଙ୍କ ପ୍ରତିନିଧି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବାକୁ ଯାଇଥିବାବେଳେ ତାଙ୍କୁ ଅନୁମତି ମିଳିନଥିଲା ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ବିଧାୟକ କହିଛନ୍ତି, ନବୀନ ବାବୁ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ, ତେଣୁ ସେ ସାରା ଓଡ଼ିଶାର ସମ୍ପତ୍ତି । ରାଜନୈତିକ ସମ୍ପର୍କ ଛଡ଼ା ତାଙ୍କୁ ବ୍ୟକ୍ତିଗତଭାବେ ସମସ୍ତେ ଭଲ ପାଆନ୍ତି । ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବାର ସମସ୍ତଙ୍କର ଅଧିକାର ଅଛି । ତେଣୁ କାହିଁକି ନବୀନଙ୍କୁ ଭେଟିବାକୁ ଦିଆଯାଉ ନାହିଁ ତାହା ସେମାନେ ଜାଣିଥିବେ ବୋଲି କହିଛନ୍ତି ଅଶୋକ ମହାନ୍ତି । ସେହିପରି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ସେ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ଥିଲେ । କିନ୍ତୁ ସେ ଆଇସିୟୁରେ ଚିକିତ୍ସାଧୀନ ଥିବାରୁ ତାଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ଏପରିକି ସେ କାଚ ବାହାରୁ ଦେଖିବାକୁ ଇଚ୍ଛା କରୁଥିବା ସତ୍ତ୍ୱେ ସେତିକି ବି ଅନୁମତି ମିଳିଥିଲା ।


