ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରକ୍ଷଣାବେକ୍ଷଣରେ ଅବହେଳା! ସଚେତନ ନାଗରିକ ମହଲରେ ଅସନ୍ତୋଷ

ଆସିକା  (ୱାଇଏନ୍‍ଏସ୍‍):  ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ହେଲେ କେବଳ ମନେ ପଡନ୍ତି ବରପୁତ୍ର ଓ ମହାପୁରୁଷ ଏବଂ ଶହୀଦ୍‍ । ଦିନ ଦିନ ଧରି ଅବହେଳିତ ହୋଇପଡିରହିଛି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ସେମାନଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ଗୁଡିକର ରକ୍ଷଣାବେକ୍ଷଣ ପ୍ରତି କାହାରି ନଜର ପଡୁନଥିବା ଯୋଗୁଁ ସଚେତନ ନାଗରିକ ମହଲରେ ଅସନ୍ତୋଷ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । କେଉଁଠି ପ୍ରତିମୂର୍ତ୍ତି ଗୁଡିକରେ ମାସ ମାସ ଧରି ଶୁଖିଲା ଫୁଲ ହାର ପଡିରହିଛି ତ ଆଉ କେଉଁଠି ଅସଜଡା ଓ ଅପରିଷ୍କାର ହୋଇପଡିରହିଛି ବରପୁତ୍ର, ମହାମନୀଷି ଓ ଶହିଦ୍‍ଙ୍କ ପ୍ରତିମୂର୍ତ୍ତି । ଏମିତି ଦୃଶ୍ୟ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଦେଖିବାକୁ ମିଳୁଛି । ବର୍ଷବର୍ଷ ଧରି ଅପରିଷ୍କାର ଓ ଶୁଖିଲା ଫୁଲହାର ଝୁଲା ଅବସ୍ଥାରେ ପଡିରହୁଛିି ପ୍ରତିମୂର୍ତ୍ତି । ବର୍ଷକରେ କେବଳ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପୂର୍ବରୁ କେତେକ ପ୍ରତିମୂର୍ତ୍ତି ଗୁଡିକୁ ଧୁଆଧୁଇ କରାଯାଇ ପୋଛାଯାଇ ନୂଆଁ ଫୁଲହାର ପକାଯିବା ପରେ ସେଗୁଡିକୁ ପରିବର୍ତ୍ତନ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ବରପୁତ୍ର ମାନଙ୍କୁ ସମ୍ମାନ ଦେବା, ସେମାନଙ୍କ ଅବଦାନ ପ୍ରତି ପରପିଢୀଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆସିକା ସହରର ବିଭିନ୍ନ ସ୍ଥାନରେ ବହୁ ବରପୁତ୍ର, ମହାମନୀଷି ଏବଂ ମହାପୁରୁଷ ଓ ଶହିଦ୍‍ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲେ ମଧ୍ୟ କେତେକ ପ୍ରତିମୂର୍ତ୍ତି ଗୁଡିକ ଏହି ମହତ୍‍ ଉଦ୍ଦେଶ୍ୟ ଠାରୁ ବହୁ ଦୂରରେ ବୋଲି ଚର୍ଚ୍ଚା ହେଉଛି । ବରପୁତ୍ର, ମହାମନୀଷି ଓ ଶହୀଦ୍‍ଙ୍କ ପ୍ରତିମୂର୍ତ୍ତି ଗୁଡିକ ଉଚିତ୍‍ ସମ୍ମାନ ଦେବା ପାଇଁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିଲେ ମଧ୍ୟ ତାହା ଫଳଶୂନ୍ୟ ହୋଇପଡୁଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ମହାପୁରୁଷ, ବରପୁତ୍ର ଓ ଶହୀଦ୍‍ଙ୍କ କର୍ମ ଓ ବାଣୀ ସବୁବେଳେ ପ୍ରେରଣାଦାୟୀ । ମହାନ୍‍ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତି ଆଖିରେ ପଡିଲେ ତାଙ୍କ ଆଦର୍ଶ ଓ ବ୍ୟକ୍ତିତ୍ୱ ଆପେ ଆପେ ମନରେ ପ୍ରତିବିମ୍ବିତ ହୁଏ । ଅଭିଭାବକମାନେ ପିଲାମାନଙ୍କୁ କୁହନ୍ତି ଏହି ଦେଖ, ଇଏ ହେଉଛନ୍ତି ଅହିଂସାର ପୂଜାରୀ, ଇଏ ନବଉତ୍କଳର ନିର୍ମାତା, ଇଏ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ମାତ୍ର ପ୍ରେରଣାର ଫଲ୍‍ଗୁ ବୁଣୁଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସିନା ସ୍ଥାପନ କରାଯାଇଛି କିନ୍ତୁ ଆବଶ୍ୟକତା ଅନୁଯାୟୀ ସେହି ପ୍ରତିମୂର୍ତ୍ତି ଗୁଡିକୁ ସମ୍ମାନ ମିଳୁନାହିଁ । କେଉଁଠି ମହାପୁରୁଷ, ବରପୁତ୍ର ଓ ଶହୀଦ୍‍ଙ୍କ ପ୍ରତିମୂର୍ତ୍ତି ଉପରେ ଧୂଳି ଚରିଗଲାଣି ତ ଅନ୍ୟ କେଉଁଠି ପୁରୁଣା ଫୁଲହାର ଶୁଷ୍କ ହୋଇ ଝୁଲିରହିଛି । ପୁଣି ଅନ୍ୟ କେଉଁଠି ପ୍ରତିମୂର୍ତ୍ତି ଛିଡା ହୋଇଥିଲେ ମଧ୍ୟ ରଙ୍ଗ ଟିକିଏ ପକାଯାଉ ନାହିିଁ । ଗଞ୍ଜାମ ଜିଲ୍ଲାର ଅନ୍ୟତମ ଐତିହ୍ୟ ସଂସ୍କୃତି ସଂପନ୍ନ ଏବଂ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ରୂପେ ପରିଚିତ ଥିବା ଆସିକା ସହରକୁ ଦୈନିକ ହଜାର ହଜାର ଜନତା ବିଭିନ୍ନ କାମକୁ ଆସୁଥିବା ବେଳେ ହାଟପଦା ଛକ ନିକଟରେ ସ୍ଥାପିତ ହୋଇଥିବା ମହାମାନବ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ଅଟକି ଗଲେ ଆପେ ଆପେ ମନରେ ସମ୍ମାନର ଭାବନା ସୃଷ୍ଟି ହେବା ସହ ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଚିନ୍ତାଧାରା ଓ ଅବଦାନ ଭାବିଲେ ମୁଣ୍ଡ ନଇଁଯାଏ । ମାତ୍ର ସେହି ମହାମାନବ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦୀର୍ଘ ଦିନ ଧରି ଶୁଖିଲା ଫୁଲହାରଟିଏ ଝୁଲୁଥିଲେ ବି ଏହାକୁ କଡାନଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । କେବଳ ଶ୍ରାଦ୍ଧୋତ୍ସବ, ଜନ୍ମତିଥି ସମେତ ଅନ୍ୟାନ୍ୟ କେତୋଟି କାର୍ଯ୍ୟକୁ ଛାଡିଦେଲେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତିକୁ ପରିଷ୍କାର ପରିଚ୍ଛନ୍ନ କରାଯାଉନଥିବା ଅଭିଯୋଗ ହେଉଛି । କିନ୍ତୁ ଜନ୍ମଦିନ କିମ୍ବା ତିରୋଧାନ ଦିବସ ଆସିଲେ କେତେକ ଧୋବଧାଉଳିି ନେତା ନିଜ ଶୁଭେଚ୍ଛୁ ଓ ସମର୍ଥକମାନଙ୍କ ଗହଣରେ ପହଞ୍ଚି ଫୁଲମାଳ ପକାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା କରିଥାନ୍ତି । ପ୍ରତିମୂର୍ତ୍ତି ସ୍ଥାପନ କରି ଯତ୍ନ ନନେବା କୌଣସି ଅପମାନ ଠାରୁ କମ୍‍ ନୁହଁ ବୋଲି ସଂସ୍କୃତିପ୍ରେମୀଙ୍କ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ବରପୁତ୍ର, ଶହୀଦ୍‍ ଓ ମହାମନୀଷିମାନଙ୍କ ପ୍ରତିମୂର୍ତ୍ତି ଗୁଡିକୁ ରକ୍ଷଣାବେକ୍ଷଣ କରିବା ସହ ଉଚିତ୍‍ ସମ୍ମାନ ଦେବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ