ନିଜ ଛୁଆକୁ ପାଇବା ପାଇଁ ଓଡ଼ିଶା ଆସି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଫିଲିପାଇନ୍ସର ମହିଳା ନେନେଲି ବେରୋନିଲା

କଟକ, (ଓ୍ବାଇଏନଏସ): ସୋସିଆଲ ମିଡିଆରେ ପରିଚୟ ହେଲା । ସାତ ଦରିଆ ପାର ହୋଇ ଦେଖା କରିବାକୁ ଗଲା ପ୍ରେମିକ । ପ୍ରଥମ ଦେଖାରେ ବିଦେଶିନୀଙ୍କ ସହ ପ୍ରେମ ହୋଇଗଲା । ତାଙ୍କୁ ଜୀବନ ସାଥୀ କରିବାକୁ ଇଚ୍ଛା କଲେ । ବିନା ବିବାହରେ ସ୍ୱାମୀ-ସ୍ତ୍ରୀ ଭଳି ରହିଲେ । ବିଦେଶିନୀ ପ୍ରେମିକା କନ୍ୟା ସନ୍ତାନ ଜନ୍ମ ଦେଲେ । ଅଳ୍ପ କିଛି ଦିନ ପରେ ମା’ ଠାରୁ ଛୁଆକୁ ଦୂରେଇ ଦେଲା ପ୍ରେମିକ । ଛୁଆ ପାଇବା ପାଇଁ ଓଡ଼ିଶା ଆସି ହାଇକୋର୍ଟଙ୍କ ଦ୍ୱାରସ୍ଥ ଫିଲିପାଇନ୍ସର ମହିଳା ନେନେଲି ବେରୋନିଲା ଦୟାନନ୍ଦାୟନ୍ ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।ଯାଜପୁର ଜିଲ୍ଲା କୁଆଖିଆର ଯୁବକ ମୃତ୍ୟୁଞ୍ଜୟ କର ବେଙ୍ଗାଲୁରୁରେ ଏକ ଆଇଟି କମ୍ପାନୀରେ ଚାକିରି କରିଥିଲେ । ୨୦୨୨ ଏପ୍ରିଲରେ ଏକ ଡେଟିଂ ଆପ୍ରେ ଫିଲିପାଇନ୍ସର ନେନେଲିଙ୍କ ସହ ପରିଚୟ ହୋଇଥିଲା । ସେତେବେଳେ ନେନେଲି ଭିଏତନାମର ହାନୋଇରେ ରହି ପ୍ରଶିକ୍ଷିତ ଶିକ୍ଷକ ଭାବରେ ଚାକିରି କରୁଥିଲେ । ମୃତ୍ୟୁଞ୍ଜୟ ନିଜକୁ ଅବିବାହିତ ପରିଚୟ ଦେଇ ସମ୍ପର୍କ ସ୍ଥାପନ କରିଥିଲେ । ନେନେଲିଙ୍କୁ ଭେଟିବାକୁ ମୃତ୍ୟୁଞ୍ଜୟ ଭିଏତନାମ ଯାଇଥିଲେ । ପରେ ୧୦ ମାସ ଉଭୟ ଏକାଠି ବିତାଇଥିଲେ । ବିବାହର ପ୍ରତିଶ୍ରୁତି ଦେଇ ନେନେଲି ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାରି ଭିତରେ ନେନେଲି ଗର୍ଭବତୀ ହୋଇଥିଲେ । ଘଟଣା ବିଷୟରେ ମୃତ୍ୟୁଞ୍ଜୟ ତାଙ୍କ ଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ନେନେଲି ଗର୍ଭଧାରଣ ସମୟରେ ଭିଏତନାମରେ ରହି କାମ କରୁଥିଲେ । ମୃତ୍ୟୁଞ୍ଜୟ ବେଙ୍ଗାଲୁରୁରେ ରହୁଥିଲେ । ୨୦୨୩ ଅକ୍ଟୋବରରେ କୌଣସି କାମରେ ମୃତ୍ୟୁଞ୍ଜୟ ସିଙ୍ଗାପୁର ଯାଇଥିଲେ । ନେନେଲିଙ୍କୁ ମଧ୍ୟ ସେଠାକୁ ଡାକିଥିଲେ ।ସିଙ୍ଗାପୁରରେ ଅଳ୍ପକିଛି ଦିନ ରହିବା ପରେ ଉଭୟ ନଭେମ୍ବରରେ ବେଙ୍ଗାଲୁରୁ ଫେରି ଆସିଥିଲେ । ନେନେଲି ବେଙ୍ଗାଲୁରୁର ସ୍ପନ୍ଦନା ହାର୍ଟ ଆଣ୍ଡ ସୁପର ସ୍ପେସାଲିଟି ହସ୍ପିଟାଲରେ ନଭେମ୍ବର ୨୬ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ନେନେଲିଙ୍କର ଟୁରିଷ୍ଟ ଭିସାର ଅବଧି ମେ’ ପର୍ଯ୍ୟନ୍ତ ଥିଲା । ଏହାରି ଭିତରେ ନେନେଲି ଝିଅର ପାସ୍ପୋର୍ଟ କରିବାକୁ ଯୋଜନା କରିଥିଲେ । ହେଲେ ହୋଇପାରି ନଥିଲା । ନିଜର ଭିସା ଅବଧି ମଧ୍ୟ ବଢ଼ି ପାରି ନଥିଲା । ଶେଷରେ ୭ ମାସର ପିଲାକୁ ଛାଡି ବାଧ୍ୟ ହୋଇ ନେନେଲି ଭିଏତନାମ ଫେରି ଯାଇଥିଲେ । ମୃତ୍ୟୃଞ୍ଜୟ ନିଜ ଝିଅକୁ କୁଆଖିଆରେ ତାଙ୍କ ପରିବାର ଲୋକଙ୍କ ପାଖରେ ଛାଡି ବେଙ୍ଗାଲୁରୁ ଯାଇଥିଲେ । ପରେ ଅନେକ ସମୟରେ ମୃତ୍ୟୁଞ୍ଜୟ ସିଙ୍ଗାପୁର ଯାଇଥିଲେ । ନେନେଲି ଭିଏତନାମରେ ପହଞ୍ଚି ମୃତ୍ୟୁଞ୍ଜୟଙ୍କ ସହ ଯୋଗାଯୋଗ କରି ଝିଅ କଥା ବୁଝୁଥିଲେ । ସବୁ କିଛି ଠିକ୍ଠାକ୍ ଥିଲା । ହେଲେ ପରେ ନେନେଲିଙ୍କ ସହ ମୃତ୍ୟୁଞ୍ଜୟ ସମ୍ପର୍କ କାଟି ଦେଇଥିଲେ । ଭିଡିଓ କଲରେ ଆଉ ଝିଅକୁ ଦେଖାଉ ନଥିଲେ । ନେନେଲି ଭିସା ଆବେଦନ ପାଇଁ ତାଙ୍କୁ ଯୋଗାଯୋଗ କରିଥିଲେ ହେଲେ ସେ କୌଣସି ଉତ୍ତର ଦେଇ ନଥିଲେ । କିଛି ଦିନ ପରେ ନେନେଲି ଜାଣିବାକୁ ପାଇଥିଲେ ମୃତ୍ୟୁଞ୍ଜୟ ସିଙ୍ଗାପୁରରେ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି । ତାଙ୍କର ଏକ ପିଲା ରହିଛି । ଅଳ୍ପ କିଛି ଦିନ ତାଙ୍କ ପାଖରେ ଝିଅ ରହିଥିଲା । ତା’ପରେ ସେ ଝିଅକୁ ନେବା ପାଇଁ ଯୋଜନା କରିଥିଲେ । ହେଲେ ଫେଲ୍ ମାରିଥିଲେ । ବହୁ କଷ୍ଟରେ ଦ୍ୱିତୀୟ ଜନ୍ମଦିନ ଅବସରରେ ଝିଅକୁ ଭେଟିବାର ଅନୁମତି ପାଇଥିଲେ ନେନେଲି । ହେଲେ ତାଙ୍କୁ ସେ ସୁଯୋଗରୁ ବଞ୍ଚିତ କରିଥିଲେ ମୃତ୍ୟୁଞ୍ଜୟ ଓ ତାଙ୍କ ପରିବାର । ଶେଷରେ ନେନେଲି ତାଙ୍କ ଝିଅକୁ ପାଇବାକୁ ଓଡ଼ିଶା ଆସି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କୋର୍ଟରେ ଦର୍ଶାଇଛନ୍ତି ଦୁଇବର୍ଷର ଝିଅକୁ ତାଙ୍କଠାରୁ ଷଡ଼ଯନ୍ତ୍ର କରି ଦୂରେଇ ନିଆଯାଇଛି । ଝିଅ ଜନ୍ମ ହେବାର କିଛି ଦିନ ପରେ ଭିସା ଅବଧି ଶେଷ ହୋଇଯିବା କାରଣରୁ ସେ ଭାରତ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ସେବେଠାରୁ ଆଉ ସେ ନା ଝିଅକୁ ଦେଖି ପାରୁଛନ୍ତି ନା ଝିଅକୁ ନିଜ ପାଖକୁ ଆଣି ପାରୁଛନ୍ତି । ତାଙ୍କ ଝିଅକୁ ଫେରାଇ ଦେବାକୁ ଓଡ଼ିଶା ହାଇକୋର୍ଟକୁ ନିବେଦନ କରିଛନ୍ତି । ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ପ୍ରତିପକ୍ଷ ତଥା ମହିଳାଙ୍କ ପ୍ରେମିକ ମୃତ୍ୟୁଞ୍ଜୟ ଏବଂ ତାଙ୍କ ପରିବାରକୁ ନୋଟିସ୍ ଜାରି କରିଛନ୍ତି । ଅପରପକ୍ଷରେ ଦୁଇ ବର୍ଷର ଝିଅର ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ସେ ସଂକ୍ରାନ୍ତରେ ଏକ ରିପୋର୍ଟ ଦେବାକୁ ହାଇକୋର୍ଟ ଯାଜପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୨୩କୁ ଧାର୍ଯ୍ୟ ହୋଇଛି । ଏବେ ଝିଅଟି ଯାଜପୁର କୁଆଖିଆରେ ମୃତ୍ୟୁଞ୍ଜୟ କରଙ୍କ ପରିବାର ହେପାଜତରେ ରହିଛି । ଏହି ଝିଅକୁ ଉଦ୍ଧାର ପାଇଁ ସେ ଅଦାଲତରେ ପ୍ରାର୍ଥନା କରିଛନ୍ତି । ହାଇକୋର୍ଟ ଆଜି ମାମଲାର ପ୍ରାଥମିକ ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ରଜତ କୁମାର ପଣ୍ଡା ଏବଂ ପ୍ରଭାସ ପୂଜାରୀ ପରିଡ଼ା ମାମଲା ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ