ସରକାରୀ ସାହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ମହିଳା ଇନ୍ଦୁମତି!
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ)ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଗ୍ରାମର ଦରା ସାହିରେ ବାସ କରୁଥିବା ଦିବ୍ୟାଙ୍ଗ ଅବିବାହିତ ମହିଳା ଇନ୍ଦୁମତି ଦୋରା (୫୩) ଆଜି ଦୁଃଖ ଓ ଦୁର୍ଦ୍ଦଶାର ଜୀବନ କାଟୁଛନ୍ତି। ସ୍ବର୍ଗତ ଶ୍ୟାମ ଦୋରାଙ୍କ ଝିଅ ଇନ୍ଦୁମତି ପ୍ରାୟ ୫୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ ଜୀବନର ପ୍ରତିଟି ପଦକ୍ଷେପରେ ସଂଘର୍ଷ କରୁଛନ୍ତି। ସରକାରୀ ସହାୟତା ବୋଲି କହିଲେ ତାଙ୍କୁ ପ୍ରତିମାସ ୫ କେଜି ରାସନ ଚାଉଳ ଓ ୧,୦୦୦ ଟଙ୍କା ଦିବ୍ୟାଙ୍ଗ ଭତା ମିଳୁଥିବା ବେଳେ ଏହା ତାଙ୍କ ଦୁର୍ଦ୍ଦଶାକୁ କେବଳ ନାମମାତ୍ର ସାହାରା ଦେଉଛି। ଦୀର୍ଘ ଏକ ବର୍ଷ ଧରି ସେ ପରିସ୍ରା ଓ ଝାଡା ବନ୍ଦ ଭଳି ଗୁରୁତର ରୋଗରେ ପୀଡ଼ିତ ହୋଇ ସଂଘର୍ଷ କରୁଛନ୍ତି।ପ୍ରଥମେ ଉଷାପଡାର ଉତ୍କଳ ହସ୍ପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ତଥାପି ଅର୍ଥ ଅଭାବରୁ ଚିକିତ୍ସାରେ ଲାଗିଛି ବିରାମ।ବର୍ତ୍ତମାନ ସେ ପରିସ୍ରା ପାଇଁ ପ୍ଲାଷ୍ଟିକ ପାଇପ ଓ ଥଳିରେ ନିର୍ଭର କରୁଛନ୍ତି। ଶରୀରର ଅସୁବିଧା ସତ୍ତ୍ୱେ ଏକ ବାଡ଼ିର ସାହାରାରେ ଚାଲିବା ସହ ଘରୋଇ କାମ ପାଇଁ ପାଣି ଆଣିବାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁ କାମ ନିଜେ କରୁଛନ୍ତି। ବାପା-ମାଆଙ୍କ ମୃତ୍ୟୁ ପରେ ଏକାକୀ ଜୀବନ ଜୀଇଁ ଆସୁଥିବା ଇନ୍ଦୁମତି ପାଇଁ କେହି ସାହାରା ନାହିଁ।ତାଙ୍କେ ରହୁଥିବା ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଘରର ଝିଙ୍କର ଭଙ୍ଗା ଥିବାରୁ ଦିନେ ଖରା ଓ ରାତିରେ ତାରା ଦେଖାଯାଏ। ବର୍ଷା ହେଲେ ଚାଳରୁ ପାଣି ଗଳି ଘରଭିତରକୁ ପଡ଼େ। ତଳିଆ ଅବସ୍ଥାରୁ ଘର ରହିଥିବାରୁ ଡ୍ରେନ୍ ପାଣି ମଧ୍ୟ ଘରକୁ ପଶିଆସୁଛି। ଏହି ସମସ୍ୟା ସମ୍ପର୍କରେ ସେ ବହୁବାର ଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ। ବ୍ଲକର ଅନ୍ୟ ଦିବ୍ୟାଙ୍ଗମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଥିବା ସତ୍ତ୍ୱେ ଇନ୍ଦୁମତିଙ୍କୁ ଏହା ଏଯାଏଁ ନମିଳିବା ଦୁଃଖଦ ଓ ଦୃଭାଗ୍ୟଜନକ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ସରକାର ଏହି ଦିବ୍ୟାଙ୍ଗ ମହିଳାଙ୍କ କେବେ ଦୁଃଖ ଦୂର କରିବେ ବୋଲି।କେବେ ତାଙ୍କୁ ଏକ ସୁରକ୍ଷିତ ଛାତ ଓ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବେ? ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜିଲାପାଳଙ୍କ ନିକଟରେ ଦାବୀ ଜଣାଇଛନ୍ତି।


