ନୂଆ ସକାଳ କାର୍ଯ୍ୟକ୍ରମ ଅନୁଷ୍ଠିତ
କାକଟପୁର,(ଓ୍ବାଇଏନଏସ): ଗାଁ ହେଉଛି ଦେଶର ମୂଳ ଆଧାର। କିନ୍ତୁ ଆଜି ଗାଁ ନିଜେ ନିଜ ସମସ୍ୟାର ଭାରନେଇ ଆକ୍ରାନ୍ତ। ରାସ୍ତା ନାହିଁ, ପିଇବା ପାଣିର ଅଭାବ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସଠିକ୍ ସୁବିଧା ନାହିଁ | ପୁରୀ ଜିଲ୍ଲାର କାକଟପୁର ବ୍ଲକ୍ ଅନ୍ତର୍ଗତ ସିଂହରପାଳ ବେଳାଭୂମି କୂଳରେ “ଗ୍ରାମୀଣ ସେବା ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ “ନୂଆ ସକାଳ” ନାମକ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା | ଶିଶୁମାନଙ୍କୁ ତାଙ୍କର ଅଞ୍ଚଳର ପରିବେଶ ସହିତ ଯୋଡ଼ିବା ଏବଂ ଅଞ୍ଚଳର ସମସ୍ୟାକୁ ଚିହ୍ନଟ କରି ସଚେତନତା ଗଢ଼ିବା। ଏହି କାର୍ଯ୍ୟକ୍ରମରେ ଶତାଧିକ କୁନି କୁନି ଛାତ୍ରଛାତ୍ରୀ ପ୍ରକୃତି ପରିବେଶ ଉପରେ ଚିତ୍ରାଙ୍କନ କଲେ ଏବଂ ତାଙ୍କ ଗାଁର ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଗୋଟିଏ ଗୋଟିଏ ଦରଖାସ୍ତ ଲେଖିଲେ। ମା’ ବାଟୁଳାଇ ପାଠଶାଳାର ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି । ୫୦ରୁ ଅଧିକ ଛାତ୍ରଛାତ୍ରୀ ରାସ୍ତା, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଜଙ୍ଗଲ ସୁରକ୍ଷା ପରି ସମସ୍ୟା ଉପରେ ନିଜ ମନର କଥା ସରକାରଙ୍କ ପାଖକୁ ପହଞ୍ଚାଇଲେ। ଏହି ଦରଖାସ୍ତଗୁଡ଼ିକୁ ପୋଷ୍ଟାଲ୍ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପଠାଯିବାକୁ “ଗ୍ରାମୀଣ ସେବା ଚାରିଟେବୁଲ ଟ୍ରଷ୍ଟ” ଦାୟିତ୍ୱ ନେଇଛି। ଗତ ୫ ବର୍ଷ ଧରି ଏହି ଟ୍ରଷ୍ଟ ଗ୍ରାମାଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରନ୍ତର କାମ କରୁଛି। ଆଜି ଟ୍ରଷ୍ଟ ସହିତ ୫୦୦ରୁ ଅଧିକ ସଦସ୍ୟ ଯୋଡ଼ି ହୋଇଛନ୍ତି | ଯାହା ଏହାର ଲୋକପ୍ରିୟତା ଓ ସଫଳତାର ପ୍ରମାଣ। ଏହା କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଏକ ଚିନ୍ତାଧାରା, ଯେଉଁଠି ଛୋଟ ହାତ ଦେଶର ବଡ଼ ସମସ୍ୟାକୁ ସ୍ପର୍ଶ କରୁଛି। ଏହି ଅଭିନବ ପ୍ରୟାସ ଆଗାମୀ ପିଢ଼ି ପାଇଁ ଏକ ଦୃଢ଼ ଆଶା ଓ ସଚେତନ ନାଗରିକତାର ଭିତ୍ତି ତିଆରି କରୁଛି। ସତ୍ୟରେ, ଏହା ଏକ ନୂଆ ସକାଳ, ସମସ୍ୟା ଭିତରୁ ଜନ୍ମ ନେଉଥିବା ଆଶାର ସକାଳ।


