ଆସନ୍ତା ୧୮ରେ ଆସିକା ବନାଞ୍ଚଳରେ ହେବ ପକ୍ଷୀଗଣନା କାର୍ଯ୍ୟ
ଆସିକା ତା ୧୪/୦୧ (ୱାଇଏନ୍ଏସ୍) ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ପରାମର୍ଶ ଏବଂ ଭଂଜନଗର ଦକ୍ଷିଣ ଘୁମୁସର ବନଖଣ୍ଡର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଜିପିଏସ୍ ଓ ବାଇନାକୁଲର୍ ମାଧ୍ୟମରେ ଆସନ୍ତା ୧୮ ତାରିଖ ଦିନ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା, ଧରାକୋଟ, ଶେରଗଡ, ଷଡଙ୍ଗୀପଲ୍ଲୀ ସେକ୍ସନର ବିଭିନ୍ନ ଜଳାଶ୍ରୟ, ପୋଖରୀ, ନଦୀହୁଡା ଇତ୍ୟାଦି ଅଞ୍ଚଳରେ ପକ୍ଷୀଗଣନା କାର୍ଯ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ଧରାକୋଟ ବନପାଳ ଲାଜୁ ଶବର, ଶେରଗଡ ବନପାଳ ରାଜେନ୍ଦ୍ର କୁମାର ଗୌଡ, ଷଡଙ୍ଗୀପଲ୍ଲୀ ବନପାଳ ପି.ସୁରଜ କୁମାର ଓ ବନବିଭାଗ କର୍ମଚାରୀ ବିଷ୍ଣୁପ୍ରିୟା ପ୍ରଧାନ, ଲକ୍ଷ୍ମୀପ୍ରିୟା ଦଳବରା, ରାଜେନ୍ଦ୍ର କୁମାର ରାଉତ, ପ୍ରମୋଦ କୁମାର ପାଢୀ, ରାକେଶ୍ ପରିଡା, ରଶ୍ମିତା ଚୌଧୁରୀ, କାହ୍ନୁଚରଣ ଡାକୁଆ, ମୋହନ ଚାନ୍ଦଙ୍କ ସମେତ ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ଥିବା ପରିବେଶବିତ୍, ଛାତ୍ରଛାତ୍ରୀ ଓ ଅନ୍ୟ କର୍ମକର୍ତ୍ତାମାନେ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ବିଦେଶାଗତ ପକ୍ଷୀଙ୍କ ଠାରୁ ଆରମ୍ଭ କରି ଜଳରେ ବିଚରଣ କରୁଥିବା ବଗ, ହଂସ, ପାଣିକୁଆ, ଗେଣ୍ଡାଳିଆ, ମାଛରଙ୍କା ଇତ୍ୟାଦି ପକ୍ଷୀଙ୍କୁ ଗଣନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ପକ୍ଷୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ୧୮ ତାରିଖରେ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବାର କାର୍ଯ୍ୟକ୍ରମ ରହିଥିଲା ବେଳେ ଏହା କିପରି ଶୃଙ୍ଖଳିତ ଭାବେ ସମାପ୍ତ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ୧୨ଟି ଟିମ୍ ଗଠନ କରାଯାଇ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଜଣାପଡିଛି ।


