କଟକରେ ଏନଆଇଏ ଟିମ, ରଞ୍ଜିତ ଭୋଳଙ୍କ ପରିବାରକୁ ଦେଢ ଘଣ୍ଟା ପଚରାଉଚରା
କଟକ (ଓ୍ବାଇଏନଏସ): କଟକରେ ଏନଆଇଏ ଟିମ୍ । ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରତ୍ୟେକ୍ଷଦର୍ଶୀ ଥିବା କଟକ ଦେଉଳ ସାହିର ରଞ୍ଜିତ ଭୋଳକୁ ପଚରାଉଚରା କରିଛି ଏନଆଇଏ ଟିମ । ପ୍ରାୟ ଦେଢ ଘଣ୍ଟା କାଳ ରଞ୍ଜିତଙ୍କ ପରିବାରକୁ ପଚରାଉଚରା କରିଥିଲା ଟିମ୍ । ଆଜି(ମଙ୍ଗଳବାର) ଏନଆଇଏର ୩ ଜଣିଆ ଟିମ କଟକର ଦେଉଳସାହିରେ ରହୁଥିବା ରଞ୍ଜିତଙ୍କ ଘରେ ପହଞ୍ଚି ପରିବାର ୩ ସଦସ୍ୟ ଯଥା ରଞ୍ଜିତ ଭୋଳ, ତାଙ୍କ ପତ୍ନୀ ଓ ପୁଅକୁ ପହଲଗାମ ଆତଙ୍କୀ ଆକ୍ରମଣ ସମ୍ପର୍କରେ ପଚାରି ବୁଝିଥିଲା । ପ୍ରାୟ ଦେଢ ଘଣ୍ଟା ଧରି ପଚରାଉଚରା କରିବା ପରେ ଭୁବନେଶ୍ବର ଫେରି ଆସିଛି ଟିମ୍ । ଦୁଇ ଜଣ ଇନିସ୍ପେକ୍ଟର ରାଙ୍କର ଅଫିସର ଏବଂ ଅନ୍ୟ ଜଣେ ଏସ୍ପି ରାଙ୍କର ଅଫିସର ଏହି ଟିମରେ ସାମିଲ ଥିଲେ । ରଞ୍ଜିତଙ୍କ ପରିବାର ଲୋକ ଆତଙ୍କବାଦୀ ହମଲା ସମୟରେ ପ୍ରତ୍ୟକ୍ଷଦର୍ଶୀ ଥିଲେ । ସେଦିନ ଘଟଣା ସମ୍ପର୍କରେ ପଚାରି ବୁଝିଛି ଏନଆଇଏ ଟିମ । ଏହି ଟିମ କିଛି ସନ୍ଦିଗ୍ଧଙ୍କ ଫଟୋ ରଞ୍ଜିତଙ୍କ ପରିବାର ଲୋକଙ୍କୁ ଦେଖାଇଥିଲେ । ଏହି ସନ୍ଦିଗ୍ଧ ମାନଙ୍କୁ ସେମାନେ ଦେଖିଥିଲେ କି ନାହିଁ । କେଉଁ ଭାଷାରେ କଥା ହେଉଥିଲେ । ଆତଙ୍କୀ ମାନେ କେଉଁ ରଙ୍ଗର ଡ୍ରେସ ପିନ୍ଧିଥିଲେ । କଲମା ପଢିବାକୁ କହିଥିଲେ କି ନାହିଁ । ସେହି ସମୟରେ ଏମାନେ କଣ କହିଥିଲେ । କେତେ ଜଣ ଆତଙ୍କବାଦୀ ଆସିଥିଲେ ଅର୍ଥାତ କେତେଜଣ ଆତଙ୍କୀଙ୍କୁ ଏମାନେ ଦେଖିଥିଲେ । ରଞ୍ଜିତଙ୍କ ପତ୍ନୀ କେଉଁଠି ଆହତ ହେଲେ ଏବଂ କେଉଁ ପରିସ୍ଥିତିରେ ଆହତ ହେଲେ । ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଏନଆଇଏ ଟିମ ପଚରାଉଚରା କରିଥିଲେ । ପଚରାଉଚରା ପରେ ଟିମ ଭୁବନେଶ୍ୱର ଫେରିଯାଇଥିଲେ । ଗତ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କୀ ଆକ୍ରମଣ ହୋଇଥିଲା । ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ । ତେବେ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ମଧ୍ୟ ପ୍ରାଣ ହରାଇଛନ୍ତି । ଘଟଣା ଦିନ କଟକ ଦୋଳସାହିର ରଞ୍ଜିତଙ୍କ ପରିବାର ପହଲଗାମରେ ଛୁଟି କାଟୁଥିଲେ । ସେମାନଙ୍କ ସାମ୍ନାରେ ଆତଙ୍କୀମାନେ ଅନ୍ୟଙ୍କୁ ହତ୍ୟା କରିବା ସହ କଲମା ପଢିବାକୁ କହିଥିବା ପୂର୍ବରୁ ରଞ୍ଜିତଙ୍କ ପରିବାର ଗଣମାଧ୍ୟମକୁ ଜଣାଇଥିଲେ । ତେବେ ସୌଭଗ୍ୟବଶତଃ ଏହି ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲା । ଆଜି ଏହି ପ୍ରତ୍ୟେକ୍ଷଦର୍ଶୀଙ୍କୁ ଏନଆଇଏ ଟିମ୍ ପଚରା ଉଚରା କରିଛି । ପୂର୍ବରୁ ଏନଆଇଏ ଟିମ୍ ବାଲେଶ୍ବର ଯାଇ ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲା ।