ଫସର ଫାଟିଲା ଅନାସ୍ଥା ପ୍ରସ୍ତାବ

ହାଟଡିହି, (ଓ୍ବାଇଏନଏସ) :  କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ନାୟକଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂ ଆଜି ଫସର ଫାଟିଛି। ଆନନ୍ଦପୁର ଉପଜିଲାପାଳଙ୍କ ଚିଠି ନମ୍ବର ୧୦୨୧୨ ଅନୁଯାୟୀ ୩ ତାରିଖ ବୁଧବାର ୧୧/୩୦ ସମୟରେ ଭୋଟିଙ୍ଗ ପାଇଁ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଶହ ଶହ ସଂଖ୍ୟାରେ ଉଭୟ ପକ୍ଷଙ୍କ ସମର୍ଥକ ମାନେ ଋଣ୍ଡିଭୂତ ହୋଇଥିଲେ। ଏପରିକି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଆନନ୍ଦପୁର ଥାନା ଅଧିକାରୀ ଫନୀନ୍ଦ୍ର ନାୟକ ଉପସ୍ଥିତ ରହିଥିଲେ। ମାତ୍ର ଉପଜିଲାପାଳଙ୍କ ଚିଠି ନମ୍ବର ୧୦୭୯୭ ଅନୁସାରେ ସ୍ବତନ୍ତ୍ର ସଭା କୌଣସି ଅପରିହାର୍ଯ୍ୟ ପରିସ୍ଥିତି କାରଣରୁ ଭୋଟିଂ ସ୍ଥଗିତ ରହିଗଲା। ଏହାକୁ ନେଇ ପଞ୍ଚାୟତରେ କିଛି ସମୟ ହୋ-ହଲ୍ଲା ହୋଇଥିଲା। ପରେ ଅନାସ୍ଥା ଆଣିଥିବା ୮ ଜଣ ସଭ୍ୟାସଭ୍ୟ ପଞ୍ଚାୟତ ସାମ୍ନାରେ ଧାରଣାରେ ବସିଥିଲେ l ଅପରାହ୍ନ ୫ଟାରେ ପୁନର୍ବାର ଆନନ୍ଦପୁର ଉପଜିଲାପାଳଙ୍କ ଚିଠି ନମ୍ବର ୧୦୮୨୬ ଅନୁସାରେ ଆସନ୍ତା ୧୯.୧୨.୨୫ ଶୁକ୍ରବାର ୧୧.୩୦ରେ କଣ୍ଟିପାଳ ପଞ୍ଚାୟତ ଅନାସ୍ଥା ପ୍ରସ୍ତାବ ପାଇଁ ବୈଠକ ନିମନ୍ତେ ଚିଠି ମିଳିବା ପରେ ଅନାସ୍ଥା ଆଣିଥିବା ୱାର୍ଡ ସଭ୍ୟ ସଭ୍ୟା ମାନେ ଘରକୁ ଫେରିଥିଲେ।  ଓଡ଼ିଶା ପଞ୍ଚାୟତ ଆଇନ୍‌ ୧୯୬୪ର ଧାରା ୨୪ ଅନୁଯାୟୀ କଣ୍ଟିପାଳ ପଞ୍ଚାୟତରେ ଅନାସ୍ଥା ଭୋଟିଂ ପାଇଁ ପ୍ରଶାସନ ତରଫରୁ ଆଜିର ଦିନ ଧାର୍ଯ୍ୟ ହୋଇଥିବା ବେଳେ ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ୯ ଜଣ ଓ୍ବାର୍ଡ ସଭ୍ୟଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ଥିବ ୮ଜଣ ଓ୍ବାର୍ଡମେମ୍ବର ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟଠାରେ ଭୋଟିଂ ପାଇଁ ଉପସ୍ଥିତ ରହିଥିଲେ। ହେଲେ ପ୍ରିଜାଇଡିଂ ଅଫିସର ଦାୟିତ୍ୱରେ ଥିବା ଆନନ୍ଦପୁର ବିଡିଓ କୌଣସି କାରଣରୁ ହଠାତ୍‌ ଆଜି ଛୁଟିରେ ରହିବାରୁ ଭୋଟିଂ ହୋଇପାରିଲା ନାହିଁ। ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ପରେ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ସଞ୍ଜୟ ସାମନ୍ତରାୟ ଏନେଇ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ନୋଟିସ୍‌ ଲଗାଇଛନ୍ତି। ତେବେ ଆଜିର ଘଟଣାକୁ ନେଇ ଉପସ୍ଥିତ ଓ୍ବାର୍ଡସଭ୍ୟମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ