ସହାୟ ହେଉନି ନିରାମୟ: ରାତି ଅଧରେ ଔଷଧ ପାଇଁ ହନ୍ତସନ୍ତ ରୋଗୀ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଦୈନିକ ଶତାଧିକ ସଂଖ୍ୟକ ଲୋକେ ଚିକିତ୍ସା ନିମନ୍ତେ ଆସିଥାନ୍ତି। ଏହି ଚିକିତ୍ସାଳୟ ଉପରେ ଅସ୍ତରଙ୍ଗ ବ୍ଲକ ଅଂଚଳର ୧୫ଗୋଟି ପଂଚାୟତ ସମେତ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ନିର୍ଭର କରିଥାନ୍ତି। ଚିକିତ୍ସାଳୟ ରେ ମୁଖ୍ୟତଃ କୌଣସି ବିଭାଗରେ ବିଶେଷଜ୍ଞ ଡକ୍ଟର ନାହାନ୍ତି। ଯେଉଁ ଡକ୍ଟର ଅଛନ୍ତି ସେମାନଙ୍କୁ ଦେଖାଇ ଚିକିତ୍ସାଳୟ ପରିସରରେ ଥିବା ନିରାମୟରୁ ମାଗଣାରେ ମଧ୍ୟ ଔଷଧ ନେଉଛନ୍ତି। କିନ୍ତୁ ସବୁ ସମୟରେ ନିରାମୟରେ ସବୁ ପ୍ରକାର ଔଷଧ ଉପଲବ୍ଧ ନଥାଏ। ଯାହାକୁ ନେଇ ରୋଗୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଦିନ ସମୟରେ ନିରାମୟ ରେ ଔଷଧ ନ ମିଳିଲେ ରୋଗୀ ଚିକିତ୍ସାଳୟ ବାହାରକୁ ଯାଇ ଘରୋଇ ମେଡ଼ିସିନ ଷ୍ଟୋରରୁ ଔଷଧ ଆଣିଥାନ୍ତି। କିନ୍ତୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ମେଡ଼ିସିନ ଷ୍ଟୋର ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ଯଦି ରାତି ୧୧ଟା ପରେ କାହାର ଔଷଧର ଆବଶ୍ୟକ ପଡେ ତେବେ ତାକୁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ। ରାତି ୧୨ଟା ପରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ରୋଗୀ ମାନେ ବହୁବାର ଔଷଧ ପାଇଁ ହଇରାଣ ହେଉଛନ୍ତି। ରାତି ୧୨ଟା ପରେ ଜରୁରୀ କାଳୀନ ସେବା ପାଇବା ପାଇଁ ଆସୁଥିବା ରୋଗୀ ଙ୍କୁ ଡକ୍ଟର ଦେଖି ସାରିବା ପରେ ମେଡ଼ିସିନ ଆଣିବା ଲେଖିଲେ ନିରାମୟ କେନ୍ଦ୍ରରେ ପ୍ରାୟ ସମୟରେ ଔଷଧ ମିଳୁନାହିଁ। ବାହାରେ ଔଷଧ ଦୋକାନ ବନ୍ଦ ରହୁଥିବାରୁ ବାଧ୍ୟ ହୋଇ ରୋଗୀ ଓ ତା “ସମ୍ପର୍କୀୟ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। କିଛି ଦିନ ତଳେ କୈଳାଶ ନାୟକ ନାମକ ଯୁବକ ତାଙ୍କ ବୃଦ୍ଧ ବାପା ଙ୍କୁ ରାତି ୨ଟାରେ ଚିକିତ୍ସା ନିମନ୍ତେ ଅସ୍ତରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଡକ୍ଟର ଯେଉଁ ଇଞ୍ଜେକ୍ସନ ଲେଖିଥିଲେ ତାହା ନିରାମୟ ରେ ମିଳିନଥିଲା। ବାହାରେ ଔଷଧ ଦୋକାନ ବନ୍ଦ ଥିବାରୁ ସେ କେବଳ ଭଗବାନ କୁ ଡାକି ସକାଳ ହେବା ଯାଏଁ ଅପେକ୍ଷା କରିଥିଲେ। ଏହା କେବଳ ଗୋଟିଏ ଉଦାହରଣ ନୁହେଁ ଏମିତି ବହୁବାର ରୋଗୀ ଙ୍କ ସହ ଏପରି ଘଟୁଛି। ନିରାମୟ ରେ ଯଦି ସବୁ ପ୍ରକାର ଔଷଧ ଓ ଇଞ୍ଜେକ୍ସନ ମିଳନ୍ତା ଅନ୍ୟ ପଟେ ୨୪ଘଣ୍ଟିଆ ନିରାମୟ ସେବା ମିଳିଲେ ସାଧାରଣ ଲୋକେ ଏତେ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ।


