ନାହିଁ ସୂଚନା ଫଳକ: ମନ ଇଛା ହେଉଛି ରାସ୍ତା ମରାମତି କାର୍ଯ୍ୟ

ହାଟଡିହି (ଓ୍ବାଇଏନଏସ): ଚାଲିଛି କୋଟି କୋଟି ଟଙ୍କାର ରାସ୍ତା ମରାମତି କାର୍ଯ୍ୟ। କିନ୍ତୁ ଲାଗିନି ସୂଚନା ଫଳକ। ମନ ଇଛା ହେଉଛି ପିଚୁ କାମ। ରାସ୍ତାର ଦୁଇ ପାର୍ଶ୍ୱରେ ମୋରମ ବଦଳରେ ପଡୁଛି ମାଟି। ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ। ଏପରି ଘଟଣା ଦେଖିବାକୁ ମିଳିଛି ଛେନା ପଦି ହଦଗଡ଼ ରାସ୍ତା କାମରେ। ଏହି ରାସ୍ତାଟି କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହା ଉପରେ ୮ଟି ପଞ୍ଚାୟତ ର ଲୋକେ ନିର୍ଭର କରିଥାନ୍ତି। ବିଶେଷତଃ ହଦଗଡ଼ ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ସେହିପରି ଜିଲ୍ଲାର ଏକ ମାତ୍ର ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ରହିଛି। ସାରା ଜିଲ୍ଲାର ଛାତ୍ରଛାତ୍ରୀ ଏଠାରେ ପଢ଼ୁଥିବା ବେଳେ ଶହ ଶହ ଅଭିଭାବକ ମଧ୍ୟ ଏଠାକୁ ଆସିଥାନ୍ତି. ଏହି ରାସ୍ତାଟି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ପୂର୍ତ୍ତ ବିଭାଗ ଅଧୀନରେ ରାସ୍ତାଟି ଅଛି। କିଛିବର୍ଷ ପୂର୍ବେ ୧୬ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା । ଇତି ମଧ୍ୟରେ କିଛିକିଛି ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇଥିଲା। ବିଭାଗ ପକ୍ଷରୁ ଏବେ ଏହାକୁ ମରାମତି କରାଯାଇ ସମ୍ପୂର୍ଣ୍ଣ ପିଚୁ ପକା ଯାଉଛି। କୋଟି କୋଟି ଟଙ୍କାର କାମ ହେଉଥିଲେ ବି କୌଣସି ସୂଚନା ଫଳକ ଲଗା ଯାଇନି। ଅନ୍ୟ ପକ୍ଷରେ ଯେଉଁ ପିଚୁ ହେଉଛି କିଛି ସ୍ଥାନରେ ଚିପିସ ଉଠି ଯାଉ ଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ ପକା ନଯାଇ ମାଟି ପକାଯାଉଛି। ସେହି ନୟନଜୋରୀ ରୁ ମାଟି ଉଠାଯାଇ ରାସ୍ତାରେ ପକା ଯାଉଛି।  ଅସରାଏ ବର୍ଷା ହେଲେ ମାଟି ଧୋଇଯିବାର ଆଶଙ୍କା ଥିବାବେଳେ କାଦୁଅ ହୋଇ ରାସ୍ତାକୁ ଆସିବାର ସମ୍ଭାବନା ଥିବାରୁ ଭଗବାନ ଜେନା, ଶ୍ରୀକାନ୍ତ ଜେନା, ଲକ୍ଷ୍ମଣ ନାୟକ, ସିଙ୍ଗରାଇ ଟୁଡୁ ଙ୍କ ସମେତ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଟେଲିଫୋନ ନ ଉଠାଇବାରୁ ତାଙ୍କ ମତାମତ ନିଆଯାଇ ପାରିନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ