ଗଜପତିରେ ‘ମୋନ୍ଥା’ ପ୍ରଭାବରେ ହୋଇନାହିଁ ଜୀବନ ହାନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପ୍ରଶାସନ ସାମୁଦ୍ରିକ ଝଡ ‘ମୋନ୍ଥା’ର ମୁକାବିଲାକୁ ନେଇ ସମସ୍ତ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି. ଗତକାଲି ରାତ୍ର ସୁଦ୍ଧା ୧୧ହଜାର ୩୮୭ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଥିରେ ୧୮୫ ଜଣ ଗର୍ଭବତୀ ଅଛନ୍ତି। ଏହି ସମସ୍ତଙ୍କୁ ୨୮୭ଟି ଆଶ୍ରୟସ୍ଥଳୀରେ ରଖାଯାଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ୫୯୦.୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାତ୍ର ସୁଦ୍ଧା ୧୦୦ମିମି ବର୍ଷା ରେକର୍ଡ ହୋଇଛି । ଯାହାର ପ୍ରଭାବରେ କିଛି ସ୍ଥାନରେ ଗଛପଡିବା, ପାହାଡରୁ ବଡ଼ ବଡ଼ ପଥର ଖସିବା ଭଳି ଘଟଣା ଦେଖିବାକୁ ମିଳିଛି | ୧୪୦ଟି ଭୂସ୍ଖଳନ ସମ୍ଭାବ୍ୟସ୍ଥଳୀ ଚିହ୍ନଟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଆର୍ ଉଦୟଗିରି ବ୍ଲକର ଦୁଇଟି ସାମାନ୍ୟ ଭୂସ୍ଖଳନ, ଗୋଟିଏ ବଡ ଧରଣର ଭୂସ୍ଖଳନ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସେହିପରି କାଶୀନଗର ବ୍ଲକର ପାଇଁଡା ପଞ୍ଚାୟତର ଲିଙ୍ଗା ଗ୍ରାମ ନିକଟରେ ହୋଇଥିବା ଭୂସ୍ଖଳନ ଫଳରେ ରାସ୍ତା ଅବରୋଧ ହୋଇ ରହିଥିଲା । ଯାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ ନିଜେ ଉପସ୍ଥିତ ରହି ସ୍ଥିତିର ସୁଧାର ଆଣିଛନ୍ତି। ଭୂସ୍ଖଳନ, ପ୍ରବଳ ବର୍ଷା ଆଦିରେ କୌଣସି ଧନଜୀବନ ହାନୀ ହୋଇନଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି I


